ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନ୍ ପ୍ଲାଟଫର୍ମରୁ ମା’ କୋଳରୁ ଶିଶୁ ପୁତ୍ର ଚୋରି ହେବା ଘଟଣା ଭିନ୍ନ ମୋଡ଼ ନେଇଛି । ଜିଆରପି ପୋଲିସ ଘଟଣାର ପର୍ଦ୍ଦାଫାସ୍ କରିଛି । ଶିଶୁକୁ କୌଣସି ବାହାର ଲୋକ ନୁହେଁ ବରଂ ନିଜ ଜନ୍ମିତ ବାପା ହିଁ ଅପହରଣ କରିଥିବା ଜଣାପଡ଼ିଛି । ଅପହୃତ ଶିଶୁ ପତ୍ରକୁ ମା’କୁ ହସ୍ତାନ୍ତର କରାଯାଇଥିବାବେଳେ ଅଭିଯୁକ୍ତ ବାପାକୁ ଜିଆରପି ପୋଲିସ ଅଟକ ରଖାଯାଇଥିବା ଜଣାପଡ଼ିଛି ।
ଅଭିଯୁକ୍ତ ବାପା ଉକ୍ତ ମହିଳାଙ୍କ ସହିତ ଲିଭ୍ ଇନ୍ ରେ ରହୁଥିବାବେଳେ ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମରେ ତାଙ୍କର ପ୍ରଥମ ପତ୍ନୀ ରହୁଥିଲେ । ସେ ବାପା ଦ୍ୱିତୀୟ ସ୍ତ୍ରୀଠାରୁ ପୁଅକୁ ଚୋରି କରି ପ୍ରଥମ ସ୍ତ୍ରୀକୁ ଦେଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ସେ କାହିଁକି ନିଜ ଛୁଆକୁ ଚୋରି ଅପହରଣର ନାଟକ ରଚିଥିଲା ତାହା କିଛି ସ୍ପଷ୍ଟ ହୋଇନାହିଁ ।
ଉଲ୍ଲେଖ ଯୋଗ୍ୟ, ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଓ ଦ୍ୱିତୀୟ ପତ୍ନୀ ଚିନୁଲତା ପରିଡ଼ା ଶିଶୁ ପୁତ୍ର ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ନିରାକାରପୁର ରେଳ ଷ୍ଟେସନ୍ ପ୍ରଶାନ୍ତି ଏକ୍ସପ୍ରେସ୍ରେ ତାମିଲନାଡୁ ଯିବାକୁ ଥିଲା । ପ୍ରଥମେ ସେମାନେ କାଳୁପଡ଼ାଘାଟ ଷ୍ଟେସନରେ ପହଞ୍ଚି, ସେଠାରୁ ଡିଏମୟୁ ଟ୍ରେନ୍ରେ ନିରାକାରପୁର ଷ୍ଟେସନକୁ ଆସିଥିଲେ। ଟ୍ରେନ୍ ପାଇଁ ସମୟ ଥିବାରୁ ୩ ନମ୍ବର ପ୍ଲାଟ୍ଫର୍ମରେ ଉଭୟ ଶୋଇଥିଲେ । କିନ୍ତୁ ଉଭୟଙ୍କ ନିଦ ଭାଙ୍ଗିବା ପରେ ଶିଶୁପୁତ୍ରକୁ ପାଖରେ ପାଇନଥିଲେ । ଚାରିଆଡ଼େ ଖୋଜଖୋଜି କରିବା ପରେ ପୁଅକୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ ।