ଭୁବନେଶ୍ୱର : ଆଜି ପ୍ରବଳ ଛେଚିବ। ଆଜି ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତା କାଲି ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୨୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏଁ କାଳବୈଶାଖୀ ବର୍ଷା ଲାଗି ରହିବ। ଅନ୍ୟପଟେ ଆଇଏମଡିର ପୂର୍ବାନୁମାନ ଯେ, ସକ୍ରିୟ ପଶ୍ଚିମା ଝଡ କାରଣରୁ ଆଜି ଓ ଆସନ୍ତା କାଲି ଉତ୍ତର ପଶ୍ଚିମ ଭାରତ ଏବଂ ପୂର୍ବ ଭାରତରେ କୁଆପଥର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ, ମଧ୍ୟ ଓ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି।