ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ୱାର୍ଡ ନମ୍ବର ୮ରେ ରାତି ଅଧରେ ସଶସ୍ତ୍ର ଡକାୟତି ହୋଇଛି । ଜମାଇ କଲୋନୀସ୍ଥିତ ତାରକ ହାଲଦାରଙ୍କ ଘରେ ଲୁଟେରା ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ କରିଛନ୍ତି । ଘରୁ ଗହଣା, ଟଙ୍କା ଓ ମୋବାଇଲ୍ ଇତ୍ୟାଦି ନେଇ ଯାଇଛନ୍ତି ।
ତାରକଙ୍କ କହିବା ମୁତାବକ, ଗତକାଲି ରାତିରେ ୫ରୁ ୬ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ସମସ୍ତେ ମୁହଁରେ କଳା କପଡା ବାନ୍ଧି କବାଟ ଭାଙ୍ଗିବା ସହ ତାରକଙ୍କୁ ଫାର୍ଶାରେ ପ୍ରଥମେ ଆକ୍ରମଣ କରିଥିଲେ । ଫଳରେ ତାରକ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଏହା ପରେ ଘରୁ ଟଙ୍କା, ମୋବାଇଲ,ସ୍ତ୍ରୀର ଦୁଇଟି କାନ ଫୁଲ, ସୁନା ଚୁଡ଼ି ଲୁଟ କରି ନେଇଛନ୍ତି। ଡକାୟତିଙ୍କ ମାଡ଼ରେ ଘର ମାଲିକଙ୍କ ମୁଣ୍ଡ ଫାଟି ଯାଇଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ବିପଦମୁକ୍ତ ରହିଛନ୍ତି ।
ଘଟଣା ବିଷୟରେ ପୋଲିସ ଖବର ପାଇ ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଏ ଏବଂ କେମିତି ଘରେ ପଶିଥିଲେ ସେ ନେଇ ପଚରାଉଚରା ଜାରି ରହିଛି । ଅନ୍ୟପଟେ ଉମରକୋଟ ଅଞ୍ଚଳରେ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି ତେଣୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।