ଭୁବନେଶ୍ୱର: ଆତଙ୍କାବାଦୀ ଲିଙ୍କରେ ଗିରଫ ହୋଇଥିବା ସନ୍ଦିଗ୍ଧ ଯୁବକ ଶେଖ୍ ଇମ୍ରାନ୍ ମାମଲାର ତଦନ୍ତ କରିବ ସ୍ପେଶାଲ ଟାସ୍କ ଫୋର୍ସ । ସେ ହନିଟ୍ରାପର ଶୀକାର ହୋଇଥିବା ସନ୍ଦେହ କରାଯାଉଛି । ଆବଶ୍ୟକ ସ୍ଥଳେ ଏନ୍ଆଇଏ ତଦନ୍ତ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଏସଟିଏଫ୍ ଏସ୍ପି ରବି ଶତପଥୀ ।
ଶେଖ୍ ଇମ୍ରାନକୁ ଟିକିନିଖି ଖୋଳକତାଡ଼ କରାଯାଉଛି । ସେ କଣ କରୁଥିଲା, ତାକୁ କେଉଁଠୁ ଟଙ୍କା ଆସୁଥିଲା ଏ ସବୁ ନେଇ ତଦନ୍ତ ଜାରି ରହିଛି । ଦେଶର ସୁରକ୍ଷା ସହିତ ମାମଲା ଜଡ଼ିତ ଥିବାରୁ ଅଧିକ ତଥ୍ୟ ଦେବାକୁ ମନା କରିଥିଲେ ଏସଟିଏଫ୍ ଏସ୍ପି ।
ଗତକାଲି ରାଜଧାନୀ ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଶେଖ ଇମ୍ରାନ ନାମକ ଯୁବକକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗତବର୍ଷ ହୋଇଥିବା ଦିଲ୍ଲୀ ବିସ୍ଫୋରଣ ମାମଲାରେ ଇମ୍ରାନ ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ କରୁଥିବା ସହ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଥିବା ଜଣା ପଡ଼ିଛି । ଇମ୍ରାନର ଆତଙ୍କବାଦୀ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଗିରଫ ସମୟରେ ପୋଲିସ ତାଙ୍କ ପାଖରୁ ମୋବାଇଲ, ଲାପଟପ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ଜବତ କରିଛି, ଯାହା ତଦନ୍ତକୁ ଆଉ ଗଭୀର କରିବ ବୋଲି ଆଶା କରାଯାଉଛି।
ଗିରଫ ପରେ ଇମ୍ରାନଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପରେ ଦିଲ୍ଲୀ ପୋଲିସର ବିଶେଷ ଦଳ ତାଙ୍କୁ ଦିଲ୍ଲୀକୁ ନେଇଯାଇଛି ।
ଇମ୍ରାନଙ୍କ ବାପା କହିଛନ୍ତି ଯେ, ସେ ଦଶମ ଫେଲ୍ ଥିଲା । ସେଥିପାଇଁ ଭୁବନେଶ୍ୱରରେ ଆସି ରହୁଥିଲା । ସେଠାରେ ସେ ଅନଲାଇନ୍ ଡେଲିଭରି ବୟଭାବେ କରୁଥିବା ଘର ଲୋକଙ୍କୁ କହୁଥିଲା । ଏମିତିକି ବେଳେବେଳେ ଘର ଲୋକଙ୍କଠାରୁ ଟଙ୍କା ମଧ୍ୟ ନେଉଥିଲା । ତିନି ତଳେ ପ୍ରଥମେ ଇମ୍ରାନକୁ ଅଟକ ରଖି ପଚରାଉଚରା କରାଯାଇ ଛାଡ଼ି ଦିଆଯାଇଥିଲା । ପରେ ଗତକାଲି ସକାଳେ ଦିଲ୍ଲୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଅଧିକ ପଢ଼ନ୍ତୁ:- ରାଜଧାନୀରେ ଆତଙ୍କୀ ଲିଙ୍କ୍ ଘଟଣାରେ ଯୁବକ ଗିରଫ; ସୋସିଆଲ୍ ମିଡିଆରେ ଦେଶ ବିରୋଧରେ ରଚୁଥିଲା ଷଡ଼ଯନ୍ତ୍ର