ଭୁବନେଶ୍ବର: ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହୁତୁହୁତୁ ହୋଇ ଜଳି ଯାଇଛି। ଏହି ଅଭାବନୀୟ ଘଟଣା କାରଣରୁ ଜଣେ ଯୁବକଙ୍କର ହାତ ମଧ୍ୟ ଛିଣ୍ଡି ଯାଇଥିବା କୁହାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗୁରୁତର ଯୁବକ ହେଲେ ସୀତାରାମ ଭୋଇ।
ସୂଚନା ଅନୁସାରେ ଗତକାଲି ରାତିରେ ଲେଫ୍ରିପଡ଼ା ଥାନା ଗିରିଙ୍ଗକେଲାର ସୀତାରାମ ଭୋଇ ସୁନ୍ଦରଗଡ଼ ବଡ଼ଡାକ୍ତରଖାନାରେ ଅସୁସ୍ଥ ବାପା ଘିନୁ ଭୋଇଙ୍କୁ ଭର୍ତ୍ତି କରି ଦ୍ରୁତଗତିରେ ଫେରୁଥିବା ବେଳେ ଟାଉନ ଥାନା ସମ୍ମୁଖ ଦୁର୍ଘଟଣାର ସାମ୍ନା କରିଥିଲେ। ସେ ହମ୍ସରେ ଡିଆଁ ମାରି ଡିଭାଇଡରରେ ପିଟି ହୋଇଥିଲେ। ରାସ୍ତାପାର୍ଶ୍ବ ଲୁହା ବ୍ଯାରିକେଡରେ ପିଟି ହେବାରୁ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁ ଦେଖୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ମଧ୍ୟରେ କାର୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ଟାଉନ ଥାନା ଅଧିକାରୀ ସୁଶାନ୍ତ ପରିଡ଼ା ଓ ପୁଲିସ ଦୌଡ଼ି ଯାଇ ଯୁବକଙ୍କ ଟାଣି ଉଦ୍ଧାର କରିଥିଲେ। ଧକ୍କାରେ ତାଙ୍କ ହାତ ଛିଣ୍ଡି ଯାଇଥିଲା। ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲେ।.ସେତେବେଳକୁ ଗାଡ଼ି ସମ୍ପୂର୍ଣ ଜଳି ଯାଇଥିଲା। ସୀତାରାମଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ଆଜିଠୁ ଭାରତ-ଆମେରିକା ଚୂଡ଼ାନ୍ତ ବାଣିଜ୍ୟ ଚୁକ୍ତି ଉପରେ ଚାରି ଦିନିଆ ବୈଠକ