ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୬ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ଠାରୁ ପରାଜୟ ପରେ ଗୁଜୁରାଟ ଟାଇଟାନ୍ସ ଏକ ଅଭାବନୀୟ ଘଟଣାର ଶିକାର ହୋଇଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍ ହାରିବା ପରେ ନିଜ ହୋଟେଲକୁ ଫେରୁଥିବା ଗୁଜୁରାଟ ଟାଇଟାନ୍ସ ଦଳର ବସ୍ରେ ହଠାତ୍ ନିଆଁ ଲାଗିଗଲା। ସୌଭାଗ୍ୟବଶତଃ ସମସ୍ତ ଖେଳାଳି ଏବଂ କର୍ମଚାରୀଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଏଡାଇ ଯାଇଥିଲା।
ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ପରେ ଦଳ ଷ୍ଟାଡିୟମରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ବସ୍ ଭିତରେ ହଠାତ୍ ସର୍ଟ ସର୍କିଟ୍ ହୋଇଥିଲା, ଯାହା ଫଳରେ ବସ୍ରୁ ଧୂଆଁ ଏବଂ ନିଆଁ ବାହାରିଥିଲା। ନିଆଁ ଲାଗିବା ଅନୁଭବ କରିବା ପରେ ବସ୍କୁ ତୁରନ୍ତ ବନ୍ଦ କରାଯାଇଥିଲା ଏବଂ ଅଧିନାୟକ ଶୁଭମନ ଗିଲ୍ ସମେତ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ବାହାର କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏହି ଦୁର୍ଘଟଣାରେ କୌଣସି ଖେଳାଳି କିମ୍ବା କର୍ମଚାରୀ ଆହତ ହୋଇ ନାହାଁନ୍ତି ଏବଂ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଗୁଜରାଟ ଟାଇଟାନ୍ସ ଖେଳାଳିମାନେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଫସି ରହିଥିଲେ। ତା’ପରେ ସେମାନଙ୍କ ପାଇଁ ଅନ୍ୟ ଏକ ଗାଡ଼ି ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ, ରବିବାର ରାତି ଗୁଜରାଟ ଦଳ ପାଇଁ ଏକ ଦୁଃସ୍ୱପ୍ନ ଥିଲା। ପ୍ରଥମେ ସେମାନେ ପଡ଼ିଆରେ ଆରସିବି ଠାରୁ ୫ ୱିକେଟରେ ହାରିବା ଦ୍ୱାରା ଟ୍ରଫି ଜିତିବାରୁ ବଞ୍ଚିତ ହୋଇଥିଲେ। ତା’ପରେ ଯେତେବେଳେ ସେମାନେ ଏହି ପରାଜୟରୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କ ବସ୍ରେ ନିଆଁ ଲାଗିଗଲା। ଏହା ଖେଳାଳିମାନଙ୍କ ପାଇଁ ଶାରୀରିକ ଏବଂ ମାନସିକ ଭାବରେ ଏକ ଅତ୍ୟନ୍ତ କ୍ଳାନ୍ତକାରୀ ଏବଂ ଭୟଙ୍କର ମୁହୂର୍ତ୍ତ ଥିଲା।
ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଲିଙ୍ଗନ କଲେ ବିରାଟ କୋହଲି