ଢେଙ୍କାନାଳରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା, ଯାହା ପୁଣିଥରେ ରାସ୍ତା ସୁରକ୍ଷା ନେଇ ଗଭୀର ପ୍ରଶ୍ନ ଉଠାଇଛି। ଜଣେ ରୋଗୀକୁ ସୁରକ୍ଷିତ ଭାବେ ଭୁବନେଶ୍ୱରରେ ଛାଡ଼ି ଫେରୁଥିବା ଏକ ଘରୋଇ ଆମ୍ବୁଲାନ୍ସ ମଝିରାସ୍ତାରେ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆଟେଣ୍ଡାଣ୍ଟଙ୍କ ଜୀବନ ଯାଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ମୁତାବିକ, ଢେଙ୍କାନାଳର ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ହଳଦିଆବାହାଳ ନିକଟରେ ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ଭୁବନେଶ୍ୱରରୁ ଅନୁଗୁଳ ଫେରୁଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ, ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ଅନୁଗୁଳ ଜିଲ୍ଲା ବନବାସପୁର ଅଞ୍ଚଳର ଗୁଣନିଧି ଜ୍ୟୋତିଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁରୁତର ଆହତ ଡ୍ରାଇଭରଙ୍କୁ ତୁରନ୍ତ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାସ୍ଥଳରେ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।