ଭୁବନେଶ୍ୱର: ଓଡିଶା ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର ପୁଣିଥରେ କଂଗ୍ରେସ ଦଳକୁ ଫେରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ସେ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଦଳରେ ପୁଣି ଯୋଗଦାନ କରିବେ। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଉପସ୍ଥିତ ରହିବେ।
ସାଧୁ ନେପାକ କଂଗ୍ରେସର ଜଣେ ବରିଷ୍ଠ ନେତା ଥିବାବେଳେ ୨୦୦୯ ମସିହାରେ ବରଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଦଳୀୟ ଟିକେଟ୍ ନ ମିଳିବାରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ବିଜେଡି ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ କରିଥିଲା। ତଥାପି ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ।
ଏବେ ପୁଣି କଂଗ୍ରେସକୁ ତାଙ୍କ ଘରଫେରା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବରଗଡ଼ ଅଞ୍ଚଳରେ ଏହାର ପ୍ରଭାବ କେମିତି ପଡ଼ିବ ଓ ଆଗାମୀ ନିର୍ବାଚନରେ ଏହା କେମିତି ସମୀକରଣ ଗଠନ କରିବ, ସେନେଇ ରାଜନୀତିକ ମହଲରେ ଆଲୋଚନା ଜୋର ଧରିଛି।