ଭୁବନେଶ୍ୱର: ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଚିଠି ଜାରି କରାଯାଇଛି। ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
ଚିଠି ଅନୁଯାୟୀ, ୱାର୍ଡ ମେମ୍ବର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ କାର୍ଯ୍ୟ ଜିଲ୍ଲାସ୍ତରରେ ସମ୍ପାଦନ କରିବାକୁ କୁହାଯାଇଛି। ସେହିପରି, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ମଧ୍ୟ ସିଟ୍ ସଂରକ୍ଷଣ ନିର୍ଦ୍ଧାରଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହି ପ୍ରକ୍ରିୟାରେ ଆଇନଗତ ନିୟମ ଓ ସମ୍ପ୍ରତିକ ଜନସଂଖ୍ୟା ତଥ୍ୟକୁ ଆଧାର କରି ସଠିକ୍ ଭାବେ ଆସନ ବଣ୍ଟନ କରିବାକୁ ଜୋର ଦିଆଯାଇଛି।
ସରକାର ଏହି ପ୍ରକ୍ରିୟାକୁ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏପ୍ରିଲ ୨୦୨୬ ସୁଦ୍ଧା ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମିଳିଛି। ଏହା ମାଧ୍ୟମରେ ନିର୍ବାଚନ ପୂର୍ବରୁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି।
ସରକାରଙ୍କ ଏହି ପଦକ୍ଷେପ ପଞ୍ଚାୟତ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ପାରଦର୍ଶୀ କରିବାରେ ସାହାଯ୍ୟ କରିବ ବୋଲି ମନେ କରାଯାଉଛି। ଏହା ସହିତ ଗ୍ରାମ୍ୟ ଶାସନ ବ୍ୟବସ୍ଥାକୁ ଆହୁରି ସକ୍ତିଶାଳୀ କରିବାରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।