ଭୁବନେଶ୍ୱର: ରାଜ୍ୟରେ ପାଗ ପୁଣି ନେଉଛି ନୂଆ ଟ୍ୱିଷ୍ଟ। ଗୋଟେ ପଟେ କାଳବୈଶାଖୀର ପ୍ରଭାବ, ଆଉ ଅନ୍ୟପଟେ ବଢ଼ୁଥିବା ତାତି, ଦୁଇଟିର ଡବଲ ଆଟାକ୍ରେ ଅସ୍ତବ୍ୟସ୍ତ ହେବାକୁ ଯାଉଛି ଜନଜୀବନ। ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବଜ୍ରପାତ, ଝଡ଼ ବାତାସ ଓ ହାଲୁକା ବର୍ଷା ସହ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏହି ଆଶ୍ୱସ୍ତି ଦୀର୍ଘ ସମୟ ରହିବ ନାହିଁ। ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତିର ତେଜ। କାଲିଠୁ ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀ ପହଞ୍ଚିପାରେ, ସେହିପରି ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।
୧୧ ତାରିଖରେ ଝାରସୁଗୁଡ଼ାରେ ପାରଦ ୪୧ ଡିଗ୍ରୀକୁ ଛୁଇଁପାରେ। ଏହା ସହ ୧୨ ତାରିଖଠାରୁ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅସହ୍ୟ ହେବ। ସମୁଦ୍ରତଟ ଅଞ୍ଚଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆର୍ଦ୍ରତା ବଢ଼ିବାରୁ ଲୋକମାନେ ଅଧିକ ଅସୁବିଧା ଅନୁଭବ କରିବେ।
ଗତ କିଛି ଦିନ ଧରି କାଳବୈଶାଖୀ ପାଇଁ ତାତିରୁ ଅଳ୍ପ ଆଶ୍ୱସ୍ତି ମିଳିଥିଲା, କିନ୍ତୁ ଏବେ ପୁଣି ରାଜ୍ୟରେ ତାତିର ତାଣ୍ଡବ ଦେଖିବାକୁ ମିଳିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯିବାର ସମ୍ଭାବନା ରହିଛି।