ଭୁବନେଶ୍ୱର: ରାଜ୍ୟରେ ପୁଲିସ୍ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କୌଣସି ପୁଲିସ୍ ଅଧିକାରୀ ଗୋଟିଏ ସ୍ଥାନରେ ଲଗାତାର ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଏଥିସହିତ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିବାକୁ ମଧ୍ୟ ନିଷେଧ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ବିଜ୍ଞପ୍ତି ଜାରି ହୋଇଛି। ବିଶେଷକରି ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରହୁଥିବା ଅଧିକାରୀମାନଙ୍କ (ଗାଦି ମଡ଼ା ଅଫିସର) ତାଲିକା ମାଗାଯାଇଛି। ସମସ୍ତ ଜିଲ୍ଲାର ଏସ୍ପିମାନଙ୍କ ସହିତ କମିଶନରେଟ ପୁଲିସର ଡିସିପିମାନଙ୍କୁ ଏହି ତଥ୍ୟ ଶୀଘ୍ର ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ପୁଲିସ୍ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି କରିବା। ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ରହିଲେ ଅନେକ ସମୟରେ ପ୍ରଭାବ, ଚାପ ଓ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ଥାଏ। ଏହାକୁ ରୋକିବା ଓ ନୂତନ ଅଧିକାରୀଙ୍କ ମାଧ୍ୟମରେ ପ୍ରଶାସନରେ ନୂତନତ୍ୱ ଆଣିବାକୁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ଏହା ସହିତ, ନିୟମିତ ବଦଳି ପ୍ରଣାଳୀ ଦ୍ୱାରା ପୁଲିସ୍ ବ୍ୟବସ୍ଥାରେ ପକ୍ଷପାତ ହ୍ରାସ ପାଇବ ବୋଲି ମଧ୍ୟ ଆଶା କରାଯାଉଛି। ଲୋକମାନଙ୍କ ଭିତରେ ବିଶ୍ୱାସ ବୃଦ୍ଧି କରିବା ସହ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଆଉ ମଜବୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ସରକାରଙ୍କ ଏହି ନୂଆ ନିୟମ କେତେ ଦୂର ସଫଳ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତଥାପି, ପୁଲିସ୍ ପ୍ରଶାସନରେ ପରିବର୍ତ୍ତନ ଆଣିବାରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି।
ଅଧିକ ପଢନ୍ତୁ: ମେଟ୍ରୋ ପ୍ରକଳ୍ପର ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି