ଭୁବନେଶ୍ୱର: ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶାରେ ଆଉ ଏକ ବଡ଼ ପଦକ୍ଷେପ। ମିଶନ ଶକ୍ତି ବିଭାଗ ଓ ଜାତୀୟ ମହିଳା ଆୟୋଗ (NCW)ଙ୍କ ଯୁଗଳ ସହଯୋଗରେ ଆଜି ମିଶନ ଶକ୍ତି ଭବନରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କ ପାଇଁ ଏକ ବିଶେଷ ‘ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ହୋଇଛି। ଏହି ପଦକ୍ଷେପ ମହିଳାମାନଙ୍କୁ କେବଳ ସୁରକ୍ଷା ନୁହେଁ, ଆତ୍ମବିଶ୍ୱାସ ଓ ସ୍ୱାଭିମାନରେ ମଧ୍ୟ ଦୃଢ଼ କରିବାରେ ସହାୟକ ହେବ।
ଏହି ପ୍ରଶିକ୍ଷଣ ମାଧ୍ୟମରେ SHG ମହିଳାମାନେ ଦୈନନ୍ଦିନ ଜୀବନରେ ଆସୁଥିବା ବିଭିନ୍ନ ବିପଦ ସ୍ଥିତିକୁ ସାହସର ସହିତ ମୁକାବିଲା ପାଇଁ କୌଶଳ ଶିକ୍ଷାଲାଭ କରିବେ। ଯାତାୟାତ ସମୟରେ, ବଜାର କିମ୍ବା ବ୍ୟବସାୟିକ କ୍ଷେତ୍ରରେ ନିଜକୁ କିପରି ସୁରକ୍ଷିତ ରଖିବେ, ସେଥିପାଇଁ ଏହି ପ୍ରଶିକ୍ଷଣ ଏକ ନୂତନ ଦିଗ ଦେଖାଇବ। ମହିଳାମାନଙ୍କ ମଧ୍ୟରେ ଆତ୍ମନିର୍ଭରତା, ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି କରିବା ହେଉଛି ଏହାର ପ୍ରମୁଖ ଲକ୍ଷ୍ୟ।
ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୫,୦୦୦ SHG ସଦସ୍ୟାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହା ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ବିସ୍ତାର କରାଯିବା ଯୋଜନା ରହିଛି।
ଆଜିର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ତାଙ୍କ ସହ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ବିଜୟା କିଶୋର ରାହତକର, ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ମିଶନ ଶକ୍ତି ବିଭାଗର କମିଶନର ଓ ସଚିବ ମାନସୀ ନିମ୍ଭାଲ ଏବଂ ଅତିରିକ୍ତ ସଚିବ ଶୈଳେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ମହିଳା ସଶକ୍ତିକରଣ ମାର୍ଗରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବା ସହ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ଆଉ ଦୃଢ଼ କରିବ ବୋଲି ଆଶା କରାଯାଉଛି।