ପୁରୀ: ପୁରୀରେ ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ପୁରୀ ପୋଲିସ ଲାଇନ୍ ହାଇସ୍କୁଲ୍ ନିକଟରେ ଥିବା ଖୋଲା ଡ୍ରେନ୍ରେ ପଡ଼ି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ କୁମ୍ଭାରପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଡ୍ରେନ୍ରୁ ମୃତଦେହକୁ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପରେ ପୋଲିସ ମୃତଦେହକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୋଷ୍ଟମର୍ଟମ୍ ପାଇଁ ବ୍ୟବସ୍ଥା କରିଛି।
ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ଯେ କେମିତି ଓ କେଉଁ ପରିସ୍ଥିତିରେ ବ୍ୟକ୍ତିଜଣକ ଡ୍ରେନ୍ରେ ପଡ଼ିଥିଲେ। ଏଥିସହ ତାଙ୍କ ପରିବାର ସମ୍ପର୍କରେ ମଧ୍ୟ ଖୋଜଖବର ଚାଲିଛି।
ଏହି ଖୋଲା ଡ୍ରେନ୍ ପୂର୍ବରୁ ମଧ୍ୟ ଅନେକ ଜୀବନ ନେଇଛି। ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଏହାକୁ କଙ୍କ୍ରିଟ୍ ଢାକଣା ଦ୍ୱାରା ଢାକିବାକୁ ଦାବି କରୁଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନ ନିଆଯାଇବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି।
ଗତ ଏପ୍ରିଲ ୨ ତାରିଖରେ ମଧ୍ୟ ଏହି ଡ୍ରେନ୍ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ତେବେ ସପ୍ତାହ ମଧ୍ୟରେ ପୁଣିଥରେ ଆଉ ଜଣଙ୍କ ଜୀବନ ଯାଇଛି। ୮ ଦିନ ମଧ୍ୟରେ ଦୁଇ ଦୁଇ ଜଣଙ୍କ ଜୀବନ ଯାଇଥିବାରୁ ପ୍ରଶାସନର ଅବହେଳା ପ୍ରତି ପ୍ରଶ୍ନ ଉଠିଛି।