କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍ ପରିସରରେ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ଏକ ନୂଆ ଥାନା, ଯାହା ରାଜ୍ୟର ସମସ୍ତ ମେଡିକାଲ କଲେଜମାନଙ୍କ ମଧ୍ୟରେ ପ୍ରଥମ ଘଟଣା ଭାବେ ଗଣାଯିବ। ଦିନକୁ ଦିନ ବଢୁଥିବା ରୋଗୀ ଭିଡ଼ ଓ ସୁରକ୍ଷା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏହି ବଡ଼ ପଦକ୍ଷେପ ନିଆଯାଇଛି।
ବର୍ତ୍ତମାନ ଏସ୍ସିବି ପରିସରରେ ଥିବା ଫାଣ୍ଡିକୁ ଅପଗ୍ରେଡ୍ କରି ଥାନାର ମାନ୍ୟତା ଦିଆଯିବ। ସେହିପରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ମଧ୍ୟ ଏକ ନୂଆ ଫାଣ୍ଡି ସ୍ଥାପିତ ହେବ, ଯାହା ଏସ୍ସିବି ଥାନା ଅଧୀନରେ କାର୍ଯ୍ୟ କରିବ। ଏହା ଦ୍ୱାରା ସମଗ୍ର ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ।
ଏବେ ଥିବା ପୁଲିସ୍ ବ୍ୟବସ୍ଥା ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ନୁହେଁ। ଯଦିଓ ଡିସିପି କାର୍ଯ୍ୟାଳୟ ପକ୍ଷରୁ ଟ୍ରମା ଓ ନନ୍-ଟ୍ରମା କାଜୁଆଲିଟିରେ ଫୋର୍ସ ନିଯୁକ୍ତ ଅଛି, ତଥାପି ମେଡିସିନ୍ ୱାର୍ଡ, ସ୍ପେସିଆଲ ଆଉଟଡୋର, ନିରାମୟ ଓ ଚକ୍ଷୁ ବିଭାଗରେ ଅସମ୍ଭାଳ ଭିଡ଼ ସମସ୍ୟା ସୃଷ୍ଟି କରୁଛି। ଏହି ପରିସ୍ଥିତିରେ ନୂଆ ଥାନା ଆବଶ୍ୟକତା ଅତ୍ୟାବଶ୍ୟକ ହୋଇପଡିଛି।
ନୂଆ ମେଡିକାଲ କୋଠା ନିକଟରେ ପ୍ରାୟ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଥାନା ନିର୍ମାଣ ହେବାକୁ ଯାଉଛି। ଏପାଇଁ ଡିପିଆର୍ ପ୍ରସ୍ତୁତ ହୋଇସାରିଛି ଏବଂ ଖୁବ୍ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ନିର୍ମାଣ ପୂର୍ବରୁ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସ୍ଥିତିର ସମୀକ୍ଷା କରିଥିବା ଜଣାପଡିଛି।
ଏହି ପଦକ୍ଷେପ କେବଳ ଆଇନ-ଶୃଙ୍ଖଳାକୁ ସୁଦୃଢ଼ କରିବା ନୁହେଁ, ବରଂ ରୋଗୀ, ସେବାଦାତା ଓ ଡାକ୍ତରମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବ। ଏସ୍ସିବିରେ ନୂଆ ଥାନା ସ୍ଥାପନା ରାଜ୍ୟର ସ୍ୱାସ୍ଥ୍ୟ ପ୍ରଣାଳୀ ସହ ସୁରକ୍ଷା ବ୍ୟବସ୍ଥାକୁ ଏକ ନୂଆ ମାତ୍ରା ଦେବାକୁ ଯାଉଛି।
ଅଧିକ ପଢନ୍ତୁ: SCB ଫାୟାର ଟ୍ରାଜେଡି, ତଦନ୍ତ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଦଳ; ଖୋଲିବ କି ସତ୍ୟର ପରଦା?