ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣୀ ହୋଇଥିଲେ ମଧ୍ୟ, ଏହା ଅସମାପ୍ତ ରହିଯାଇଛି। କୋର୍ଟ ପକ୍ଷରୁ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ଏହି ହାଇପ୍ରୋଫାଇଲ୍ ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ବେଶ୍ ଆଗ୍ରହ ଓ ଚର୍ଚ୍ଚା ଚାଲିଛି। ଜାମିନ ଆବେଦନ ଉପରେ ଦୁଇ ପକ୍ଷର ଆଇନଜୀବୀମାନେ ତର୍କ ରଖିଥିବାବେଳେ, କୋର୍ଟ ଆହୁରି ଯଥେଷ୍ଟ ଶୁଣାଣି ଆବଶ୍ୟକ ବୋଲି ମନେ କରି ଆଜି କୌଣସି ନିଷ୍କର୍ଷକୁ ଆସିନଥିଲା।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ଅତ୍ୟନ୍ତ ସାଂଘାତିକ ତଥ୍ୟର ଖୁଲାସା ହୋଇଥିଲା। ଏହି ହାଇପ୍ରୋଫାଇଲ ମର୍ଡର କେସରେ ଗିରଫ ହୋଇ ଜେଲରେ ଅଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ତଦନ୍ତ ବେଳେ ପୋଲିସ କହୁଥିଲା ଯେ ହତ୍ୟାକାଣ୍ଡ ପଛରେ ପୀତବାସ ଓ ବିକ୍ରମଙ୍କ ଭିତରେ ରାଜନୈତିକ ଶତ୍ରୁତା ଥାଇପାରେ, କିନ୍ତୁ ଅସଲରେ ରାଜନୈତିକ ଶତ୍ରୁତା ନୁହେଁ ବରଂ ବ୍ୟକ୍ତିଗତ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। କାରଣ ଜଣେ ମହିଳାଙ୍କ ସହ ବିକ୍ରମଙ୍କ ଅଶ୍ଳୀଳ ଫଟୋ ପୀତବାସଙ୍କ ହାତରେ ଲାଗିବା ପରେ ତାହା ବିକ୍ରମଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବ ବୋଲି ସନ୍ଦେହ କରାଯାଉଥିଲା।
ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ଘଟିବା ପରଠାରୁ ଏହା ରାଜ୍ୟରେ ବଡ ଚର୍ଚ୍ଚାର ବିଷୟ ହୋଇଥିଲା। ଆଇନ ବ୍ୟବସ୍ଥା ଓ ସୁରକ୍ଷା ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା। ଏପରି ପରିସ୍ଥିତିରେ ପୂର୍ବତନ ବିଧାୟକଙ୍କ ଜାମିନ ନେଇ ଶୁଣାଣି ସମସ୍ତଙ୍କ ନଜରରେ ରହିଛି। ଏବେ ସମସ୍ତଙ୍କ ଆଶା ଆସନ୍ତା ୧୫ ତାରିଖର ଶୁଣାଣି ଉପରେ ରହିଛି, ଯେଉଁଥିରେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ କଣ ନିଷ୍ପତ୍ତି ନେବେ ତାହା ସ୍ପଷ୍ଟ ହେବ।