ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟର ଗଣତିମଣତି ପ୍ରକ୍ରିୟା। ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତି ଆରମ୍ଭ ହୋଇଥିବା ବେଳେ, ଏହାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ଗଜପତିଙ୍କ କହିବା ଅନୁଯାୟୀ, ଗଣତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଟେକ୍ନିକାଲ ଭାବରେ କରାଯାଉଛି, ଯାହାରେ 3D ମ୍ୟାପିଂ ମଧ୍ୟ ବ୍ୟବହାର ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ, “ସମୟ ଟିକେ ଅଧିକ ଲାଗୁଥିଲେ ମଧ୍ୟ କାମଟି ନିଖୁଣ ଭାବରେ ହେବା ଦରକାର।” ଭବିଷ୍ୟତରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ବା ବିବାଦ ସୃଷ୍ଟି ନ ହେଉ, ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଥିବାକୁ ସେ ଉଲ୍ଲେଖ କରିଛନ୍ତି। ତେଣୁ ଗଣତି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧରାଯାଇପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ମାସ ୨୫ ତାରିଖରେ ମହାପ୍ରଭୁଙ୍କ ଅଳଙ୍କାରର ଗଣତି ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିଲା। ଏବେ ବାହାର ରତ୍ନଭଣ୍ଡାରରେ ରହିଥିବା ଅଳଙ୍କାର ଗଣନା କରାଯାଉଛି। ଚଳିତ ମାସ ୧୩ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ।
ଏହି ଗଣତିମଣତି ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ହେଉଛି। ପୂର୍ବ ମାର୍ଗଦର୍ଶିକା ଅନୁଯାୟୀ ତଦାରଖ ଟିମ୍ ଓ ସମ୍ପାଦନା ଟିମ୍ ଗଠିତ ହୋଇଛି। ରତ୍ନଭଣ୍ଡାର ଭିତରକୁ କେବଳ ସମ୍ପାଦନା ଟିମ୍ ସଦସ୍ୟମାନେ ପ୍ରବେଶ କରୁଛନ୍ତି।
ଗଜପତି ମହାରାଜା ଆଶା ବ୍ୟକ୍ତ କରିଛନ୍ତି ଯେ, ମହାପ୍ରଭୁଙ୍କ କୃପାରେ ସମସ୍ତ କାମ ସୁରୁଖୁରୁରେ ସମାପ୍ତ ହେବ। ଏହି ଗଣତି ପ୍ରକ୍ରିୟା ଶେଷ ହେଲେ ରତ୍ନଭଣ୍ଡାର ସମ୍ବନ୍ଧୀୟ ଅନେକ ଅସ୍ପଷ୍ଟତା ଦୂର ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ଆଜିଠାରୁ ପୁଣି ରତ୍ନ ଅଳଙ୍କାର ଗଣତି