ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଏକ ବଡ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି। ଆଜି (ବୁଧବାର) ପୋଲିସ ଦୁରଦୁରା ଗ୍ରାମ ନିକଟରୁ ୨,୦୦୦ ରୁ ଅଧିକ କଫ୍ ସିରପ୍ ବୋତଲ ଜବତ କରିଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବା କୁହାଯାଉଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୋଲିସ ଜୋରଦାର ତଲାସୀ ଆରମ୍ଭ କରିଛି।
ପୋଲିସର ସୂଚନା ଅନୁଯାୟୀ, ନିୟମିତ ପାଟ୍ରୋଲିଂ ସମୟରେ ରେଢାଖୋଲରୁ ସୁବର୍ଣ୍ଣପୁର ଆସୁଥିବା ଏକ ସନ୍ଦେହଜନକ SUV ଗାଡିକୁ ଦୁରଦୁରା ଗାଁରେ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗାଡି ଭିତରୁ ୧୩ଟି ବାକ୍ସରେ ରଖାଯାଇଥିବା ବିପୁଳ ପରିମାଣର କଫ୍ ସିରପ୍ ବୋତଲ ମିଳିଥିଲା।
ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏହି ଅଞ୍ଚଳରେ କଫ ସିରପର ବ୍ୟାପକ ପରିମାଣର ଚୋରା ଚାଲାଣ ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ପରେ ଚଢାଉ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଗାଡିର ଡ୍ରାଇଭର ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ଅଟକ ହୋଇଥିବା ଦୁଇ ଜଣ ବ୍ୟକ୍ତି ଏହି ଗାଡିକୁ ଏସ୍କର୍ଟ କରୁଥିବା ଥିବା କଥା ପୋଲିସ କହିଛି।
ଏହି ଘଟଣା ପଛରେ ଏକ ବଡ ରାକେଟ୍ ରହିଥିବା ପୋଲିସ ସନ୍ଦେହ କରୁଛି। ଜିଲ୍ଲା ପୋଲିସ ଫେରାର ଡ୍ରାଇଭରଙ୍କୁ ଖୋଜିବା ଏବଂ ବେଆଇନ କାରବାର ପଛରେ ଥିବା ନେଟୱାର୍କକୁ ଚିହ୍ନଟ କରିବା ପାଇଁ ତଲାସ ଆରମ୍ଭ କରିଛି।