ବାଲେଶ୍ୱର: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡକ ମେଳା ଏପ୍ରିଲ୩ ରୁ ଶୁଭାରମ୍ଭ ହୋଇଯାଛି l ଏଥି ନିମନ୍ତେ ଚନ୍ଦନେଶ୍ୱର ପୀଠ ଚଳ ଚଞ୍ଚଳ ହେବା ସହିତ ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଅସଂଖ୍ୟ ଶୈବଭକ୍ତ ଆଗମନରେ ଶୈବପୀଠ ମୁଖରିତ ହୋଇଛି l ହୁଗୁଳି ଗ୍ରାମରେ ଜଳଯନ୍ତ୍ର ଦେବତାଙ୍କ ଠାରେ ଗୁରୁବାର ଶ୍ରଦ୍ଧାଳୁଙ୍କ ପାଞ୍ଚ ଅର୍ଘ୍ୟ ଉପବିତ ଧାରଣ ନିମନ୍ତେ ଜଳେଶ୍ୱର - ଚନ୍ଦନେଶ୍ୱର, ବର୍ଡ଼ର - ଚନ୍ଦନେଶ୍ୱର ରାସ୍ତାରେ ଲକ୍ଷାଧିକ ଶୈବଭକ୍ତଙ୍କ ଭିଢ଼ l ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି l ଭକ୍ତଙ୍କ ଆଗମନ ଓ ପ୍ରସ୍ଥାନ ନିମନ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗୋଲେଇ ପାଖରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଧାଡିକିଆ ଦର୍ଶନ ନିମନ୍ତେ ଅନୁମତି ଦିଆଯାଇଛି l
ମନ୍ଦିର ସମେତ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ସିସି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ପୋଲିସ ପକ୍ଷରୁ କଡା ସତର୍କତା ରଖାଯାଇଛି l ମହାଦେବବଙ୍କ ମନ୍ଦିର ବିଦ୍ୟୁତ ରଙ୍ଗୀନ ଆଲୋକ ମାଳାରେ ଝଟକୁ ଥିବାବେଳେ ସେବାୟତ ଓ ପଣ୍ଡାମାନଙ୍କ ନୀତିକାନ୍ତି ପୂଜା ଅର୍ଚ୍ଚନା, ବିଶେଷ ଚଡକ ସେବାପୂଜା ହେଉଛି l ଘଣ୍ଟା, ଝାଲୀ, ମୃଦଙ୍ଗ, ଶଙ୍ଖ,ସାହାନାଇ ବାଦ୍ୟ ଓ ଶୈବଭକ୍ତଙ୍କ ହରିବୋଲ ଧ୍ୱନିରେ ପୀଠ ପ୍ରକମ୍ପିତ ହେଉଛି l ଚନ୍ଦନେଶ୍ୱର ଜୀଉଙ୍କ ୪ କି. ମି ବ୍ୟାପ୍ତ ପରିଧି ମଧ୍ୟରେ ଆଗତ ଉପଵିତଧାରୀ ଶୈବଭକ୍ତମାନେ ପ୍ରତିକୂଳ ପାଗ ସତ୍ତ୍ୱେ ବିଭିନ୍ନ ଘର ଭଡା ଓ ଅସ୍ଥାୟୀ ତମ୍ବୁତଳେ ଶିବଙ୍କୁ ଆରାଧନା ନିମନ୍ତେ ବାସସ୍ଥାନ କରି ରହିଛନ୍ତି l ଉପବିତଧାରୀ ଭକ୍ତଙ୍କ ଲାଗି ୧0 ଟଙ୍କା ଟିକେଟ ବାଧ୍ୟତା ମୂଳକ ରଖାଯାଇଛି l
ଗୁରୁବାର ୫ ଅର୍ଘ୍ୟରେ ମହାଦେବଙ୍କ ମୁଖ୍ୟ ସେବାୟତ ମୌରସୀ ତପନ କୁମାର ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା ଜୀଉଙ୍କଠାରୁ ଆଜ୍ଞାମାଳ ନେବାପରେ ଶ୍ରେଷ୍ଠ ପାଟ ଭକ୍ତ ହରିଶ ଚନ୍ଦ୍ର ସାହୁ, ଦେଉଳିଆ ଅଜିତ ପାତ୍ର ସମେତ ଶ୍ରୀବେକଡି, ବାଦ୍ୟକାର ମାନେ କୌଳିକ ରୀତିନୀତି ଅନୁଯାୟୀ ମନ୍ଦିର ପରିକ୍ରମା ସହିତ ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ରାତି ୮ ଟାରେ ଉପଵିତଧାରୀ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟଦାନ କରିଛନ୍ତି l ଜଗନ୍ନାଥପୁର ଓ ବାଡ଼ସରିସା ଠାରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିବା ଓ ସମ୍ବେଦନଶୀଳ ସ୍ଥାନରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାର, ବାଲେଶ୍ୱର sp ପ୍ରତ୍ୟୁଷ ଦିବାକର ପ୍ରକାଶ କରିଛନ୍ତି l ଟ୍ରଷ୍ଟବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ନାୟକ ଭୋଗରାଇ ଥାନାଧିକାରୀ ଜ୍ଞାନ ରଞ୍ଜନ ସାହୁ, ତାଳସାରୀ ମେରାଇନ ଥାନାଧିକାରୀ ପ୍ରଣବ କୁମାର ମହାରଣାଙ୍କ ସହ ବହୁ ଉଚ୍ଚ ପୋଲିସ ଅଧିକାରୀ ଉପସ୍ଥିତ ହୋଇ ପ୍ରସିଦ୍ଧ ମେଳା ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି l