ଭୁବନେଶ୍ୱର: ସରକାର ଦୁର୍ନୀତି ଓ ଲାଞ୍ଚ ବିରୁଦ୍ଧରେ ଯେତେ କଠୋର ହେଲେ ମଧ୍ୟ ବାବୁମାନେ ସୁଧୁରିବାର ନାଁ ଧରୁନାହାଁନ୍ତି । ଖୋଦ ଆୟକର ଅଧିକାରୀ ଲାଞ୍ଚ ମାଗି ଫସିଛନ୍ତି । ଏମିତିକି ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଲାଞ୍ଚ ମାଗିବା ଅଭିଯୋଗରେ ଖୋର୍ଦ୍ଧା ଆୟକର କାର୍ଯ୍ୟାଳୟରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଇନ୍ସପେକ୍ଟର ଟି. ସତ୍ୟ ନାରାୟଣ ରାଓ, କିରାଣୀ ଭୀମସେନ ବାରିକ ଓ ଡାଟା ଏଣ୍ଟ୍ରି ଅପରେଟର କୁମାର ସମରେଶ ।
ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ଚାଷୀ ତାଙ୍କ ପ୍ୟାନ୍ କାର୍ଡକୁ ନିଷ୍କ୍ରିୟ କରିବାକୁ ଖୋର୍ଦ୍ଧା ଆୟକର ବିଭାଗରେ ଆବେଦନ କରିଥିଲେ । କିନ୍ତୁ କିରାଣୀଙ୍କ ଠାରୁ ଆରମ୍ଭ କରି ଉପରସ୍ଥ ଅଧିକାରୀ ନିଜ ପଦବୀ ଅନୁସାରେ ତାଙ୍କୁ ଲାଞ୍ଚ ମାଗିଥିଲେ । ପ୍ରଥମେ କିରାଣି ଭୀମସେନ ତାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଇନ୍ସପେକ୍ଟର ସତ୍ୟ ନାରାୟଣ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ ଅଭିଯୋଗ ରଖାଯିବନି ବୋଲି କହିଥିଲେ । ଏ ସୁବାସ ସିଧାସଳଖ ସିବିଆଇ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ନିକଟରେ ଅଭିଯୋଗ କରିବା ପରେ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଇନ୍ସପେକ୍ଟର ଟି. ସତ୍ୟ ନାରାୟଣ ରାଓ, କିରାଣୀ ଭୀମସେନ ବାରିକ ଓ ଡାଟା ଏଣ୍ଟ୍ରି ଅପରେଟର କୁମାର ସମରେଶଙ୍କ ନାମରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ସିବିଆଇ ।