ଗଜପତି: ଗ୍ୟାସ୍ ସିଲିଣ୍ଡର୍ ଅଭାବକୁ ନେଇ ସାରା ଦେଶରେ ଚିନ୍ତା ବଢ଼ୁଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲାରେ ଏହାର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଦେଇଛି। ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଅଭାବ ଓ କଳାବଜାରୀ ଅଭିଯୋଗ ମଧ୍ୟରେ ଜିଲ୍ଲା ପ୍ରଶାସନ ଏବେ ଆକ୍ସନ୍ ମୋଡ୍କୁ ଯାଇଛି। ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧର ପ୍ରଭାବରେ ଯୋଗାଣ ବ୍ୟବସ୍ଥା ବ୍ୟାଘାତ ହେବାରୁ ସ୍ଥାନୀୟ ସ୍ତରରେ ସିଲିଣ୍ଡର୍ ସଂକଟ ଦେଖାଦେଉଥିବା କୁହାଯାଉଛି।ଏହି ପରିସ୍ଥିତିରେ ମୋହନାରୁ ୫୧ ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି।
ବିଶେଷ ସୂତ୍ରରୁ ଖବର ପାଇ ଉପଜିଲାପାଳ ଅନୁପ କୁମାର ପଣ୍ଡା ମୋହନାର ହାଇସ୍କୁଲ ଛକ ନିକଟରୁ ବେଆଇନ୍ ଗଚ୍ଛିତ ରଖିଥିବା ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ଗାଡ଼ିରେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର୍ ବିକ୍ରି ହେଉଥିବା ଧରାପଡ଼ିଥିଲା। ତଦନ୍ତ ସମୟରେ ସମ୍ପୃକ୍ତ ବ୍ୟକ୍ତିମାନେ ଗାଡ଼ି କିମ୍ବା ସିଲିଣ୍ଡର୍ ସମ୍ପର୍କିତ କୌଣସି ବୈଧ ପ୍ରମାଣପତ୍ର ଦେଖାଇ ପାରିନଥିଲେ। ଫଳସ୍ୱରୂପ, ପ୍ରଶାସନ ଗାଡ଼ି ସହ ମୋଟ ୫୧ଟି ଗ୍ୟାସ୍ ସିଲିଣ୍ଡର୍ ଜବତ କରିଥିଲା। ସେଥିରୁ ୨୬ଟି ଭର୍ତ୍ତି ସିଲିଣ୍ଡର୍ ଓ ୨୮ଟି ଖାଲି ସିଲିଣ୍ଡର୍ ଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଇଛି।
ଗତ କିଛି ଦିନ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୯ଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୧୮୨ଟି ସିଲିଣ୍ଡର୍ ଜବତ କରାଯାଇଛି। ପ୍ରଶାସନ ଏହାକୁ ଗୁରୁତ୍ୱ ସହିତ ନେଇ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି।
ଅଧିକ ପଢନ୍ତୁ: ଗ୍ୟାସ୍ ସଙ୍କଟ ମଧ୍ୟରେ କଳାବଜାରୀ; ଚଢ଼ାଉ ବେଳେ କାଠ ଗୋଲା ଭିତରୁ ମିଳିଲା ବିପୁଳ ଟାଙ୍କି,ବିନା ଲାଇସେନ୍ସରେ ଚାଲୁଥିଲା ଗୋଦାମ