ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଡାକ୍ତର ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ ହୋଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିବା ସୂଚନା ମିଳିଛି ।
ସସ୍ମିତ ପାତ୍ର ଗତକାଲି ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ, ଯାହା ଆଜି ଗୃହୀତ ହୋଇଛନ୍ତି । ସସ୍ମିତ ପାତ୍ର କାହିଁକି ଇସ୍ତଫା ଦେଇଛନ୍ତି ତାହା ଜଣାପଡ଼ି ନାହିଁ । ରାଜ୍ୟସଭା ନିର୍ବାଚନ ପରେ ଅନ୍ୟମାନଙ୍କୁ ମୁଖିଆ ଏହି ଦାୟିତ୍ୱ ହସ୍ତାନ୍ତର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସସ୍ମିତ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ । ସେ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ରହିଛନ୍ତି । ଗତ ମାର୍ଚ୍ଚ 30 ତାରିଖରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ପାତ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
ସସ୍ମିତ ପାତ୍ର ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଭେଟିଥିଲେ । ନିକଟରେ ରାଜ୍ୟସଭା ନିର୍ବାଚନ ସମୟରେ ସଂତୃପ୍ତ ମିଶ୍ରଙ୍କ ପ୍ରବେଶକୁ ନେଇ କିଛି ନେତା ଅସନ୍ତୁଷ୍ଟ ଥିଲେ । ଦିଲ୍ଲୀରେ ସଂତୃପ୍ତଙ୍କ ଦବଦବା ବଢ଼ିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ୱାକଫ୍ ସଂଶୋଧିତ ବିଲ୍ ଆଗତ ବେଳେ ରାଜ୍ୟସଭା ସାଂସଦ ହିଜବୁଲ୍ଲା ଖାଁ (ମୁନ୍ନା ଖାଁ) ଏବଂ ସସ୍ମିତଙ୍କ ମଧ୍ୟରେ ଦ୍ୱିମତ ଦେଖାଦେଇଥିଲା । ମୁନ୍ନା ଖାଁ ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିବାବେଳେ ସସ୍ମିତ ପାତ୍ର ବିବେକାନୁମୋଦିତ ଭୋଟ୍ ଦେଇଥିଲେ । ଯାହା ପରେ ମୁନ୍ନା ଖାଁ ସସ୍ମିତଙ୍କ ବିରୁଦ୍ଧରେ ଖୋଲାଖୋଲି ବର୍ଷିଥିଲେ ।