ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଘଟଣା ରାଜ୍ୟର ପ୍ରଶାସନିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି। ଗିରଫ ପୂର୍ବରୁ ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଦଳ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ମହାନ୍ତିଙ୍କ ପାଖରୁ ଆଖି ଖସିଲା ଭଳି ସମ୍ପତ୍ତି ଠାବ ହୋଇଛି। ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା ଜବତ ହେବା ସହିତ ବ୍ୟାଙ୍କରେ ପ୍ରାୟ ୧.୮୧ କୋଟି ଟଙ୍କା ଡିପୋଜିଟ୍ ରଖାଯାଇଥିବା ଜଣାପଡିଛି। ଏହାସହ ୩୫୦ ଗ୍ରାମ ସୁନା ଗହଣା ମଧ୍ୟ ମିଳିଛି। ତାଙ୍କର ବିଭିନ୍ନ ସ୍ଥାନରେ ବହୁତଳ କୋଠା, ୮ଟି ପ୍ଲଟ୍ ଓ ଢେଙ୍କାନାଳରେ ଥିବା ଏକ ଫାର୍ମହାଉସ ମଧ୍ୟ ଚିହ୍ନଟ ହୋଇଛି।
ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଛି ଯେ, ଯନ୍ତ୍ରୀ ବାବୁଙ୍କ ବିଦେଶୀ ଘଣ୍ଟା ଓ ଚଷମା ସଉକ ରହିଥିଲା। ଲଫାଫାରେ ଲୁଚିଥିଲା ବିଡ଼ା ବିଡ଼ା ଟଙ୍କା।ଘରୁ ମିଳିଲା ପୁଳା ପୁଳା ସୁନା ଗହଣା। ପ୍ରକଳ୍ପ ଓ ଚୁକ୍ତି ସମ୍ପର୍କିତ ଦସ୍ତାବିଜ ମଧ୍ୟ ଜବତ ହୋଇଛି।
ତଦନ୍ତ ସମୟରେ ଦୁଇଟି ଚାରିଚକିଆ ଓ ଦୁଇଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି। ଏହା ସହ ତାଙ୍କ ନାମରେ ମହଙ୍ଗା ବିଦେଶୀ ଘଣ୍ଟା ଓ ଚଷମା ପ୍ରତି ଆସକ୍ତି ଥିବା ମଧ୍ୟ ଜଣାପଡ଼ିଛି। ଗତ କିଛି ବର୍ଷରେ ବହୁ ଟଙ୍କା ଖର୍ଚ୍ଚ କରି ବିଦେଶ ଯାତ୍ରା କରିଥିବା ସୂଚନା ମଧ୍ୟ ମିଳିଛି। ଏହି ରେଡରେ ଜଣେ ଅତିରିକ୍ତ ଏସପି, ୧୧ ଡିଏସପି ଓ ୯ ଜଣ ଇନ୍ସପେକ୍ଟର ସମେତ ବଡ଼ ଟିମ୍ ସାମିଲ ଥିଲେ। ଭୁବନେଶ୍ୱର, ଢେଙ୍କାନାଳ, କଟକ ଓ ଯାଜପୁରର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଚାଲିଥିଲା।
ଅଧିକ ପଢନ୍ତୁ: ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଘରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା