ଭୁବନେଶ୍ୱର: ଆଜି ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ପଶିଛି । କେନ୍ଦ୍ରୀୟ ଜଳ ସେଚନ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର 6ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଛି । ଭୁବନେଶ୍ୱର, କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରହିଛି ।
ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଛାପା ମାରିଛି । ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ଲେନ୍-୮ରେ ଥିବା ତିନି ମହଲା ବିଶିଷ୍ଟ ଆବାସିକ କୋଠା, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋଲହାସିଂ ଗ୍ରାମରେ ଥିବା ପୈତୃକ ଘର,. ଢେଙ୍କାନାଳ ଜିଲ୍ଲା ଜୁବଲି ଟାଉନ୍ ଦେଉଳ ସାହିର ସମ୍ପର୍କୀୟଙ୍କ ଘର ଓ ଭାପୁର ବିମ୍ବୋଲରେ ଥିବା ଦୁଇ ମହଲା କୋଠା ଓ ଫାର୍ମ ହାଉସ , ଭୁବନେଶ୍ୱରର କାର୍ଯ୍ୟାଳୟ, କଟକ ଚାଉଳିଆଗଞ୍ଜ, ନୂଆ ବଜାରରେ ଥିବା ନିକଟତମ ସହଯୋଗୀଙ୍କ ଘରେ ଯାଞ୍ଚ କରାଯାଉଛି ।
ଖବର ଲେଖାଯିବା ବେଳକୁ ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ବରମୁଣ୍ଡା ସ୍ଥିତ ବାସଭବନରୁ ନଗଦ ୭ ଲକ୍ଷ ଟଙ୍କା, ସୁନା ଅଳଙ୍କାର, ଦାମୀ ଘଣ୍ଟା, ଚଷମା ଏବଂ ଲକ୍ଷାଧିକ ଟଙ୍କାର ହୋଟେଲ୍ ବିଲ୍ ଠାବ କରାଯାଇଛି ।
ଏହି ଚଢ଼ଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, ୧୧ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସ୍ଆଇ, ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି ।