ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତର ପତାଣ୍ଡ ଗ୍ରାମରେ ପୋଖରୀରେ ବୁଡ଼ିଯାଇ ୨ ଜଣ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଛି। ମୃତକ ଦୁଇଜଣ ହେଲେ ୧୧ ବର୍ଷୀୟ ପ୍ରାଞ୍ଜଳି ଦୋରା ଓ ୧୨ ବର୍ଷୀୟ ମାନିନୀ ଦୋରା। ଉଭୟେ ଗାଁର ସ୍କୁଲର ଛାତ୍ରୀ ଥିବା ବେଳେ ଜଣେ ୬ଷ୍ଠ ଓ ଅନ୍ୟଜଣେ ୭ମ ଶ୍ରେଣୀରେ ପଢ଼ୁଥିଲେ।
ସୂଚନା ଅନୁସାରେ, ସ୍କୁଲରୁ ଫେରିବା ପରେ ଉଭୟେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତାବଶତଃ ସେମାନେ ଗଭୀର ପାଣିକୁ ପଡ଼ି ବୁଡ଼ିଯାଇଥିଲେ।
ପୋଖରୀର ଅନ୍ୟ ପାର୍ଶ୍ୱରେ ଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ସଫଳ ହୋଇନଥିଲେ। ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଦିଗପହଣ୍ଡି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢନ୍ତୁ: ପୁଣି ଆମ ବସ୍ ଦୁର୍ଘଟଣା; ହାଇୱାକୁ ପଛରୁ ଦେଲା ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ