ୱାଶିଂଟନ/ତେହେରାନ: ବିଶ୍ୱ ରାଜନୀତିରେ ଏବେ ଏକ ବଡ଼ ଧରଣର ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ରପ୍ତାନି କେନ୍ଦ୍ର ‘ଖାର୍ଗ ଆଇଲ୍ୟାଣ୍ଡ’ ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଏଭଳି ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି, ଯାହା ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଦ୍ୱିଗୁଣିତ କରିଦେଇଛି। ଟ୍ରମ୍ପ ତାଙ୍କ ପୋଷ୍ଟରେ ଇରାନରେ ଏକ ‘ସଭ୍ୟତାର ଅନ୍ତ’ ହେବାକୁ ଯାଉଛି ବୋଲି ଦାବି କରିଛନ୍ତି।
କାହିଁକି ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଆଇଲ୍ୟାଣ୍ଡ?
ଇରାନର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଖାର୍ଗ ଆଇଲ୍ୟାଣ୍ଡ ପାରସ୍ୟ ଉପସାଗରରେ ଅବସ୍ଥିତ। ଇରାନର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତୈଳ ଏହି ଦ୍ୱୀପ ଦେଇ ରପ୍ତାନି ହୋଇଥାଏ। ଏହି ଦ୍ୱୀପ ଉପରେ ଆକ୍ରମଣର ଅର୍ଥ ହେଉଛି ଇରାନର ଅର୍ଥନୈତିକ ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ କରିଦେବା। ଗତ କିଛି ଦିନ ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଛକାପଞ୍ଝା ମଧ୍ୟରେ ଏହି ଆକ୍ରମଣ ସାରା ବିଶ୍ୱର ତୈଳ ବଜାରକୁ ମଧ୍ୟ ପ୍ରଭାବିତ କରିଛି।
ଡୋନାଲ୍ଡ ଟ୍ରମ୍ପଙ୍କ ସାଂଘାତିକ ଚେତାବନୀ
ଏହି ଘଟଣା ପରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି, "ଏକ ସମ୍ପୂର୍ଣ୍ଣ ସଭ୍ୟତା ଆଜି ରାତିରେ ଶେଷ ହୋଇଯିବ ଏବଂ ଏହା କେବେବି ଫେରିପାରିବ ନାହିଁ। ମୁଁ ଏହା ଚାହୁଁନାହିଁ, କିନ୍ତୁ ବୋଧହୁଏ ଏହା ହିଁ ଘଟିବାକୁ ଯାଉଛି।"
ଟ୍ରମ୍ପ ତାଙ୍କ ପୋଷ୍ଟରେ ଇରାନର ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଗତ ୪୭ ବର୍ଷ ଧରି ଚାଲିଆସୁଥିବା ଦୁର୍ନୀତି, ଜବରଦସ୍ତି ଆଦାୟ ଏବଂ ମୃତ୍ୟୁର ଶେଷରେ ଅନ୍ତ ହେବ। ସେ ଇରାନରେ ‘ଟୋଟାଲ ରେଜିମ୍ ଚେଞ୍ଜ’ ବା ସମ୍ପୂର୍ଣ୍ଣ ଶାସନ ପରିବର୍ତ୍ତନର ସଙ୍କେତ ଦେବା ସହ କହିଛନ୍ତି ଯେ, ବୁଦ୍ଧିମାନ ଏବଂ କମ୍ ମୌଳବାଦୀ କ୍ଷମତ୍ତାକୁ ଆସିଲେ କିଛି କ୍ରାନ୍ତିକାରୀ ଘଟଣା ଘଟିପାରେ।
ବିଶ୍ୱ ଉପରେ ଏହାର ପ୍ରଭାବ
୧. ତୈଳ ସଙ୍କଟ: ଖାର୍ଗ ଆଇଲ୍ୟାଣ୍ଡରେ ଯଦି କାମ ବନ୍ଦ ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବ। ୨. ଯୁଦ୍ଧର ବିସ୍ତାର: ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ମଧ୍ୟପ୍ରାଚ୍ୟରେ ଆମେରିକାର ସିଧାସଳଖ ହସ୍ତକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩. ପଡ଼ୋଶୀ ଦେଶଙ୍କ ଚିନ୍ତା: ଭାରତ ସମେତ ପଡ଼ୋଶୀ ଦେଶଗୁଡ଼ିକରେ ପୂର୍ବରୁ ହିଁ ଗ୍ୟାସ୍ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି, ଯାହା ଏବେ ଆହୁରି ଗମ୍ଭୀର ରୂପ ନେଇପାରେ।
ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ
ଟ୍ରମ୍ପ ଏହି ରାତିକୁ ବିଶ୍ୱ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଯଦିଓ ସେ ସ୍ପଷ୍ଟ ଭାବେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ କଥା କହିନାହାନ୍ତି, ତଥାପି ‘ସଭ୍ୟତାର ମୃତ୍ୟୁ’ ଭଳି ଶବ୍ଦର ବ୍ୟବହାର ପରମାଣୁ ଯୁଦ୍ଧ କିମ୍ବା ବଡ଼ ଧରଣର ବିନାଶ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।