ନୂଆଦିଲ୍ଲୀ: ଇରାନରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଭାରତର ଅନେକ ସ୍ଥାନରେ ଗ୍ୟାସର ଅଭାବ ଦେଖାଦେଉଛି। ଯଦିଓ ପେଟ୍ରୋଲ-ଡିଜେଲ ଏବଂ PNG-CNG ର କୌଣସି ସଙ୍କଟ ଏପର୍ଯ୍ୟନ୍ତ ନଜର ଆସିନାହିଁ, କିନ୍ତୁ ଭାରତର ପଡ଼ୋଶୀ ଦେଶଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି।
ପଶ୍ଚିମ ଏସିଆ ସଙ୍କଟ ଆରମ୍ଭ ହେବାର ୩୯ ଦିନ ବିତିଗଲାଣି। ଏତିକି ଦିନ ହେବ ଇରାନର ହୋର୍ମୁଜ ପ୍ରଣାଳୀ ଦେଇ ବ୍ୟବସାୟିକ ଜାହାଜ ଚଳାଚଳ ପ୍ରାୟତଃ ବନ୍ଦ ରହିଛି। ଭାରତ ସମେତ କିଛି ଦେଶର ଜାହାଜକୁ ହିଁ ବାହାରିବାକୁ ଅନୁମତି ମିଳିଛି, ତାହା ମଧ୍ୟ ସୀମିତ ସଂଖ୍ୟାରେ। ଏହି କାରଣରୁ ଭାରତର ଅନେକ ପଡ଼ୋଶୀ ମୁଲକରେ ତୈଳ ଏବଂ ଗ୍ୟାସକୁ ନେଇ ହାହାକାର ସୃଷ୍ଟି ହୋଇଛି।
ବାଂଲାଦେଶରେ ଯୁଦ୍ଧର ପ୍ରଭାବ କ’ଣ?
ବାଂଲାଦେଶରେ ଶପିଂ ମଲ୍ଗୁଡ଼ିକୁ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ ଏବଂ ବ୍ୟାଙ୍କରେ ମଧ୍ୟ ମାତ୍ର ୭ ଘଣ୍ଟା କାମ ହେଉଛି। ବିଦ୍ୟୁତ୍ ସଞ୍ଚୟ ପାଇଁ ଅଫିସଗୁଡ଼ିକରେ କମ୍ରୁ କମ୍ ଲାଇଟ୍ ଜଳାଇବାକୁ କୁହାଯାଇଛି। ଉତ୍ସବଗୁଡ଼ିକରେ ସାଜସଜ୍ଜା ଆଲୋକ ଲଗାଇବା ଉପରେ କଟକଣା ଜାରି ହୋଇଛି। ଅନାବଶ୍ୟକ ଯାତ୍ରା ଉପରେ ରୋକ୍ ଲଗାଯାଇଛି।
ଶ୍ରୀଲଙ୍କାରେ ଯୁଦ୍ଧ ଯୋଗୁଁ କିଭଳି ସ୍ଥିତି?
ତୈଳ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ବୁଧବାର ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି। ଟ୍ରେନ୍ ଏବଂ ବସ୍ ସେବା ହ୍ରାସ କରାଯାଇଛି। ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରାଯାଇଛି। ଶ୍ରୀଲଙ୍କାକୁ ଭାରତଠାରୁ ତୈଳ ସାହାଯ୍ୟ ମାଗିବାକୁ ପଡ଼ିଲା, ଯାହାକୁ ଜଣେ ଭଲ ପଡ଼ୋଶୀ ଭାବେ ଭାରତ ପୂରଣ ମଧ୍ୟ କରିଛି।
ନେପାଳରେ ଯୁଦ୍ଧର କି ପ୍ରଭାବ?
ବରିଷ୍ଠ ଅଧିକାରୀମାନଙ୍କୁ ମିଳୁଥିବା ତୈଳ କୋଟାରେ ୫୦% ହ୍ରାସ କରାଯାଇଛି। ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସପ୍ତାହକୁ ଗୋଟିଏ ବଦଳରେ ଦୁଇ ଦିନ ଛୁଟି ଘୋଷଣା। ବିମାନ ଇନ୍ଧନ ମୂଲ୍ୟ ଦୁଇଗୁଣା ହୋଇଛି ଏବଂ ରୋଷେଇ ଗ୍ୟାସର କୋଟା ସ୍ଥିର କରାଯାଇଛି।
ଇରାନ ଯୁଦ୍ଧ ପରେ ପାକିସ୍ତାନର ଅବସ୍ଥା
ସମଗ୍ର ପାକିସ୍ତାନରେ ବଜାର ଏବଂ ମଲ୍ ରାତି ୮ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ। ବିବାହ ଉତ୍ସବ ରାତି ୧୦ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ସରକାରୀ ବିଭାଗଗୁଡ଼ିକରେ ତୈଳ କୋଟା ୫୦% କମ୍ କରାଯାଇଛି ଏବଂ ସପ୍ତାହକୁ ମାତ୍ର ୪ ଦିନ କାମ ହେବ। ପାକିସ୍ତାନ ସୁପର ଲିଗ୍ର ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକୁ ଇନଡୋର କରିଦିଆଯାଇଛି।
ମାଳଦ୍ୱୀପ ଉପରେ ଯୁଦ୍ଧର କେତେ ପ୍ରଭାବ?
ମାଳଦ୍ୱୀପକୁ ଭାରତଠାରୁ ତୈଳ ଓ ଗ୍ୟାସ୍ ମାଗିବାକୁ ପଡ଼ୁଛି। ଯୋଗାଣ ବଜାୟ ରଖିବା ପାଇଁ ତୈଳ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିଛି।
ଭାରତରେ ଯୁଦ୍ଧ ଯୋଗୁଁ କିଭଳି ସ୍ଥିତି ରହିଛି?
କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି କମାଇଛନ୍ତି। ପ୍ରିମିୟମ୍ ପେଟ୍ରୋଲକୁ ଛାଡ଼ି ସରକାରୀ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ବା ଗ୍ୟାସର ଦାମ୍ ବଢ଼ାଇ ନାହାନ୍ତି। ଗ୍ୟାସ୍ ଯୋଗାଣ ଅବ୍ୟାହତ ରଖିବା ପାଇଁ ଏହାକୁ ଅଣ-ପ୍ରାଥମିକତା କ୍ଷେତ୍ରରୁ ଘରୋଇ ଗ୍ରାହକଙ୍କ ଆଡ଼କୁ ଡାଇଭର୍ଟ କରାଯାଇଛି। ରିଫାଇନାରୀ କମ୍ପାନୀଗୁଡ଼ିକୁ LPG ଉତ୍ପାଦନ ବଢ଼ାଇବାକୁ କୁହାଯାଇଛି। LPG ଯୋଗାଣ ପର୍ଯ୍ୟାପ୍ତ ରଖିବା ପାଇଁ ଅନ୍ୟ ଦେଶରୁ ମଧ୍ୟ ଆମଦାନୀ ଆରମ୍ଭ ହୋଇସାରିଛି। ହୋର୍ମୁଜ ଦେଇ ମଧ୍ୟ ତୈଳ ଏବଂ LPG-LNG କ୍ରମାଗତ ଭାବେ ଆଣିବାକୁ ଚେଷ୍ଟା ଜାରି ରହିଛି ଏବଂ ଏଥିପାଇଁ ଇରାନ ସହ କ୍ରମାଗତ କଥାବାର୍ତ୍ତା ଚାଲିଛି।