ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଓ ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଛି ପାକିସ୍ତାନ। ହେଲେ ପାକିସ୍ତାନ ଦ୍ଵାରା ଜାରି କରାଯାଇଥିବା ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ପଠାଯାଇଥିବା ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରୁଛି। ଇରାନ ପୁନର୍ବାର କହିଛି ଯୁଦ୍ଧବିରତି ହେବ କି ନାହିଁ ତାହାର ଜାତୀୟ ସ୍ୱାର୍ଥ ଅନୁଯାୟୀ ନିଷ୍ପତ୍ତି ନିଆଯିବ।
ଆସୋସିଏଟେଡ୍ ପ୍ରେସର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଏକ ଡ୍ରାଫ୍ଟ ପ୍ରସ୍ତାବ ଇରାନ ଓ ଆମେରିକାକୁ ପଠା ଯାଇଥିଲା। ଏଥିରେ ୪୫ ଦିନିଆ ଯୁଦ୍ଧବିରତି, ଯୁଦ୍ଧ ସମାପ୍ତ କରିବାର ଉପାୟ ସହ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବାକୁ କୁହାଯାଇଥିଲା। ଇରାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘାଇ କହିଛନ୍ତି ଯେ ତେହେରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ନିଜର ଆଭିମୁଖ୍ୟ ଏବଂ ସର୍ତ୍ତାବଳୀ ଜଣାଇସାରିଛି।
ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ମଧ୍ୟସ୍ଥତା କରିପାରିବ
ଚାପରେ କୌଣସି ଆଲୋଚନା ହେବ ନାହିଁ
ସେ କହିଛନ୍ତି ଯେ ଇରାନ ଆଲୋଚନା ପାଇଁ କୌଣସି ଚାପ କିମ୍ବା ଧମକରେ ମୁଣ୍ଡ ନୁଆଁଇବ ନାହିଁ। ଇସମାଇଲ୍ ବାଘାଇ କହିଛନ୍ତି, ସମୟସୀମା ଏବଂ ଯୁଦ୍ଧର ଧମକ ଆଲୋଚନା ପାଇଁ କେବେ ବି ଗ୍ରହଣୀୟ ନୁହେଁ। ତେହେରାନର କିଛି ସର୍ତ୍ତ ରହିଛି, ଯାହା ଏହାର ଜାତୀୟ ସ୍ୱାର୍ଥ ଉପରେ ଆଧାରିତ। ଏହାକୁ କୌଣସି ପ୍ରକାରର ବୁଝାମଣାର ସଙ୍କେତ ଭାବରେ ଦେଖିବା ଉଚିତ୍ ନୁହେଁ।
ବାଘାଇ କହିଛନ୍ତି, ଇରାନ ନିଜର ଦାବିଗୁଡ଼ିକୁ ସ୍ପଷ୍ଟ ଭାବରେ କହିବାରେ କୌଣସି ସଙ୍କୋଚ କରୁନାହିଁ। ଏମିତି କରିବାରେ କୌଣସି ପ୍ରକାରର ବୁଝାମଣା ଭାବେ ଚିତ୍ରଣ କରିବା ଉଚିତ୍ ନୁହେଁ। ବରଂ ଏହାକୁ ଆତ୍ମବିଶ୍ୱାସର ଝଲକ ରୂପେ ଦେଖାଯିବା ଉଚିତ। ତେହେରାନ କହିଛି ଯେ ସେ ଆମେରିକା ପାଇଁ ନିଜର କୂଟନୈତିକ ଜବାବ ପ୍ରସ୍ତୁତ କରିଛି ଏବଂ ଉପଯୁକ୍ତ ସମୟରେ ଏହା ଘୋଷଣା କରିବ।
ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ଗତକାଲି କହିଛନ୍ତି ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀ ନ ଖୋଲେ ତେବେ ମଙ୍ଗଳବାରଠାରୁ ଏହାର ବିଦ୍ୟୁତ୍ କେନ୍ଦ୍ର ଏବଂ ସେତୁ ଉପରେ ଆକ୍ରମଣ କରାଯିବ। ଟ୍ରମ୍ପ ଏହି ଦିନଟିକୁ ପାୱାର ପ୍ଲାଣ୍ଟ ଦିବସ ଏବଂ ସେତୁ ଦିବସର ନାମ ଦେଇଛନ୍ତି।
ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲେ, ତେବେ ଏହା ନର୍କର ସମ୍ମୁଖୀନ ହେବ। ସେ ଆଶାଳୀନ ଭାଷା ବ୍ୟବହାର କରି କହିଥିଲେ, ପ୍ରଣାଳୀ ଖୋଲନ୍ତୁ ନଚେତ୍ ପରିଣାମ ପାଇଁ ପ୍ରସ୍ତୁତ ରୁହନ୍ତୁ। ପୋଷ୍ଟରେ ଟ୍ରମ୍ପ ନିଜର ସମସ୍ତ ଶାଳୀନତା ଭୁଲି ଅପମାନଜନକ ଭାଷା ବ୍ୟବହାର କରିଥିଲେ।
ଖୋଲିବ ହର୍ମୁଜ ପ୍ରଣାଳୀ ? ଆମେରିକା ଓ ଇରାନ ସାମ୍ନାରେ ରଖାଗଲା ଟୁ ଷ୍ଟେପ ପିସ୍ ପ୍ଲାନ