ଆର୍ଟେମିସ୍ II (Artemis II) ମିଶନରେ ମହାକାଶଚାରୀମାନେ ପୃଥିବୀର କକ୍ଷପଥ ବାହାରକୁ iPhone 17 Pro Max ନେଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ନାସା କାହିଁକି ପ୍ରଥମ ଥର ପାଇଁ ଏହି ମହାକାଶ ଅଭିଯାନରେ ସ୍ମାର୍ଟଫୋନ୍ ପଠାଇଛି ଏବଂ ସେଠାରେ ଏହାର କାମ କ’ଣ, ଆସନ୍ତୁ ଜାଣିବା। ସୂଚନାଯୋଗ୍ୟ ଯେ, ଏହି ଫୋନକୁ ପଠାଇବା ପୂର୍ବରୁ ଏହାକୁ ଅନେକ କଡ଼ା ସୁରକ୍ଷା ଯାଞ୍ଚ ଦେଇ ଗତି କରିବାକୁ ପଡ଼ିଥିଲା।
୧ ଏପ୍ରିଲ ୨୦୨୬ରେ ନାସା ସଫଳତାର ସହ ଆର୍ଟେମିସ୍ II ମିଶନ ଲଞ୍ଚ କରିଛି। ଏହି ମିଶନରେ ଆପଲ୍ କମ୍ପାନୀର ସର୍ବଶେଷ ମଡେଲ୍ iPhone 17 Pro Max ର ୪ଟି ୟୁନିଟ୍ ପଠାଯାଇଛି।
ମହାକାଶରେ ଆଇଫୋନର କାମ କ’ଣ?
iPhone 17 Pro Max ର ବ୍ୟବହାର କେବଳ ମହାକାଶ ଯାନ ଭିତରେ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ମଧ୍ୟରେ ସୀମିତ ରହିବ। ଏହାକୁ ଏକ ସାଧାରଣ ଫୋନ୍ ଭଳି ବ୍ୟବହାର କରାଯିବ ନାହିଁ ଏବଂ ମିଶନ ସମୟରେ ଏହାର ଇଣ୍ଟରନେଟ୍ ଏବଂ ବ୍ଲୁଟୁଥ୍ ଭଳି ଫିଚର୍ସ ବନ୍ଦ ରହିବ। ନାସା ଦ୍ୱାରା ବିସ୍ତୃତ ସୁରକ୍ଷା ଯାଞ୍ଚ ପରେ ହିଁ ଏହି ଡିଭାଇସକୁ ମହାକାଶ ପଠାଇବା ପାଇଁ ଅନୁମତି ମିଳିଛି। ଏହା ଯୋଗାଯୋଗ ପାଇଁ ନୁହେଁ ବରଂ କେବଳ ଭିଜୁଆଲ୍ କ୍ୟାପଚର ପାଇଁ ବ୍ୟବହୃତ ହେବ।
କେଉଁ ଦିଗ ଉପରେ ଦିଆଯାଇଛି ଗୁରୁତ୍ୱ?
ବାକି ସରଞ୍ଜାମ ଭଳି ଆଇଫୋନକୁ ମଧ୍ୟ ଅନେକ ପରୀକ୍ଷଣ ଦେଇ ଗତି କରିବାକୁ ପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଜିରୋ ଗ୍ରାଭିଟି ବା ଶୂନ୍ୟ ମାଧ୍ୟାକର୍ଷଣରେ ଏହାର କାଚ (Screen) ଯଦି ଭାଙ୍ଗିଯାଏ, ତେବେ ସେହି ଛୋଟ ଛୋଟ ଖଣ୍ଡଗୁଡ଼ିକ ଯାନ ଭିତରେ ଭାସି ମହାକାଶଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି। ତେଣୁ ହିଟ୍ କଣ୍ଟ୍ରୋଲ୍, ବ୍ୟାଟେରୀ ସେଫ୍ଟି ଏବଂ ଫୋନ୍ ଷ୍ଟୋରେଜ୍ ଭଳି ସମସ୍ତ ଦିଗକୁ ଗମ୍ଭୀରତାର ସହ ଯାଞ୍ଚ କରାଯାଇଛି।
କିପରି ହେବ ବ୍ୟବହାର?
ମହାକାଶ ଯାନ ଭିତରେ କିଛି ଫୋନ୍ ‘ଭେଲକ୍ରୋ’ (Velcro) ସାହାଯ୍ୟରେ ଲାଗି ରହିବ ଏବଂ କିଛି ମହାକାଶଚାରୀଙ୍କ ସୁଟ୍ରେ ରଖାଯାଇପାରେ। ତେବେ ଏହି ସ୍ମାର୍ଟଫୋନ୍ ମିଶନର ମୁଖ୍ୟ କ୍ୟାମେରା ନୁହେଁ। ମହାକାଶଚାରୀମାନେ GoPro ଏବଂ ଅନ୍ୟାନ୍ୟ ପ୍ରଫେସନାଲ୍ କ୍ୟାମେରା ମଧ୍ୟ ବ୍ୟବହାର କରୁଛନ୍ତି। ତାଙ୍କ ତୁଳନାରେ ଆଇଫୋନ୍ କେବଳ ଏକ ସେକେଣ୍ଡାରୀ ଟୁଲ୍ (Secondary Tool) ଭାବେ କାମ କରିବ।