ଗଜପତି: ମହେନ୍ଦ୍ରଗିରି ବୁଲୁଥିବା ସମୟରେ ଘଟିଗଲା ଏକ ଦୁଃଖଦ ଘଟଣା। କଟକ ଜିଲ୍ଲା ନିଆଳି ବ୍ଲକ ଓଲଟପୁର ଗ୍ରାମର ବିନୋଦ ଜେନା, ଯିଏ କି ଗତକାଲି ଠାରୁ ନିଖୋଜ ହୋଇଥିଲେ, ତାଙ୍କର ମୃତଦେହ ଆଜି ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ବିନୋଦ ଜେନା ତାଙ୍କ ତିନିଜଣ ସାଙ୍ଗଙ୍କ ସହ ଗତକାଲି ପାରଳାଖେମୁଣ୍ଡିରୁ ଏକ କାର୍ ଯୋଗେ ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ। ସେମାନେ କୁନ୍ତି ମନ୍ଦିର, ଯୁଧିଷ୍ଠିର ମନ୍ଦିର ଓ ଅର୍ଜୁନ ଗୁମ୍ଫା ଦର୍ଶନ କରି ଭୀମ ମନ୍ଦିର ଦିଗକୁ ଯାଉଥିବା ବେଳେ ହଠାତ୍ କାଳବୈଶାଖୀର ପ୍ରଭାବରେ ପରିସ୍ଥିତି ଗମ୍ଭୀର ହୋଇଯାଇଥିଲା।ପ୍ରବଳ ପବନ, ବର୍ଷା ଓ ଘଡ଼ଘଡ଼ି ହେବାରୁ ସମସ୍ତେ ଜୀବନ ବଞ୍ଚାଇବା ପାଇଁ ଅଲଗା ଅଲଗା ଦିଗକୁ ଦୌଡ଼ିଥିଲେ। ତିନିଜଣ ସାଙ୍ଗ ଭୀମ ମନ୍ଦିର ଭିତରେ ଆଶ୍ରୟ ନେଇଥିବା ବେଳେ ବିନୋଦ ପାହାଡ଼ ତଳକୁ ଦୌଡ଼ି ଯାଇଥିଲେ ଓ ସେଠାରୁ ନିଖୋଜ ହୋଇଯାଇଥିଲେ। ପରେ ବର୍ଷା ଓ ପବନ କମିବା ପରେ ସାଙ୍ଗମାନେ ବିନୋଦଙ୍କୁ ଖୋଜିବା ଆରମ୍ଭ କରିଥିଲେ।
ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇ ଖୋଜାଖୋଜି କରାଯାଇଥିଲା। ତଥାପି ତାଙ୍କ ସନ୍ଧାନ ମିଳିନଥିବାରୁ ପୁଲିସଙ୍କ ସହାୟତା ନିଆଯାଇଥିଲା। ଗାରାବନ୍ଧ ପୁଲିସ ଓ ରାମଗିରି ରେଞ୍ଜର ବନ କର୍ମଚାରୀମାନେ ତାଙ୍କୁ ଖୋଜୁଥିବା ବେଳେ ଆଜି ସକାଳୁ ଭୀମ ମନ୍ଦିର ରାସ୍ତାକଡ଼ରୁ ବିନୋଦଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଅଧିକ ପଢନ୍ତୁ: ଢାବା ଉପରକୁ ମାଡ଼ିଗଲା କାର୍;୨ ମୃତ, ଜଣେ ଗୁରୁତର