ଭୁବନେଶ୍ୱର: ଆତଙ୍କ ଖେଳାଇ ଚାଲିଛି ଆମ ବସ୍। କେଉଁଠି ଦୁର୍ଘଟଣା ହେଉଛି, ତ ଆଉ କେଉଁଠି କାହାକୁ ଧକ୍କା ଦେଉଛି। ବଢୁଥିବା ସହର ଓ ବର୍ଦ୍ଧିତ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ଆମ ବସ୍ ସେବା। କିନ୍ତୁ ଏହି ଆମ ବସ୍ ଏବେ ଯମ ବସରେ ପରିଣତ ହେଲାଣି। ବର୍ଷକରେ ନେଲାଣି ୧୨ ଜୀବନ। ୫୦ରୁ ଅଧିକ ଲୋକଙ୍କୁ ପଙ୍ଗୁ କଲାଣି। କିଛି ଦିନ ତଳେ ଭୁବନେଶ୍ବର ରୂପାଲି ଛକରେ ମୁଣ୍ଡ ଗଡାଇଥିବା କିଲର ବସ୍ ଆଜି ପୁଣି ଘଟାଇଛି ଦୁର୍ଘଟଣା। ମଙ୍ଗଳବାର ଏକ ଆମ ବସ୍ ହାଇୱାକୁ ପଛରୁ ଧକ୍କା ଦେବାରୁ ଘଟିଛି ଦୁର୍ଘଟଣା। ସୌଭାଗ୍ୟବଶତଃ ବଡ଼ ଅପମୃତ୍ୟୁ ଟଳିଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି।
ଘଟଣାଟି ବାରଙ୍ଗ ଥାନା ଅଧୀନ ପଦ୍ମନାଭ ନଗର ଛକ ନିକଟରେ ଘଟିଛି। ସୂଚନା ଅନୁସାରେ, ୩୭ ନମ୍ବର ଆମ ବସ୍ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଦିଗକୁ ଯାଉଥିବା ବେଳେ ହଠାତ୍ ଆଗରେ ଥିବା ହାଇୱାକୁ ପଛରୁ ଧକ୍କା ଦେଇଥିଲା।
ଧକ୍କାର ଝଟକା ଏତେ ଜୋର ଥିଲା ଯେ ବସ୍ର ସାମ୍ନା ଅଂଶରେ ଥିବା ୨ଟି କାଚ ଭାଙ୍ଗି ଯାତ୍ରୀଙ୍କ ଉପରେ ପଡ଼ିଥିଲା। ଏଥିରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ କେହି ଗୁରୁତର ହୋଇନାହାନ୍ତି। ଘଟଣା ପରେ ସ୍ଥାନୀୟ ଲୋକମାନେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ବସ୍ର ଗତି ବେଶି ଥିବା କିମ୍ବା ଡ୍ରାଇଭରଙ୍କ ଅସାବଧାନତା ଏହି ଦୁର୍ଘଟଣାର କାରଣ ହୋଇପାରେ। ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ପୁଣିପୁଣି ଆମ ବସ୍ ସମ୍ପୃକ୍ତ ଦୁର୍ଘଟଣା ଘଟୁଥିବାରୁ ଯାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ପରେ ବସ୍ ସେବାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା କରିବାକୁ ଦାବି ଜୋର ଧରିଛି।
ଅଧିକ ପଢନ୍ତୁ: ଆମ ବସ’ ଆତଙ୍କ!୨ ବର୍ଷରେ ୩୨ ଦୁର୍ଘଟଣା ସହ ୧୪ ମୃତ୍ୟୁ; ବିଧାନସଭାରେ ମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ