ଭୁବନେଶ୍ୱର: ଯେଉଁ ‘ଆମ ବସ’କୁ ସ୍ମାର୍ଟସିଟିର ଲାଇଫ ଲାଇନ୍ ବୋଲି କୁହାଯାଉଥିଲା, ସେହି ବସ୍ ଏବେ ରାଜଧାନୀବାସୀଙ୍କ ପାଇଁ ଭୟର କାରଣ ହୋଇପଡ଼ିଛି। ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ବିଧାନସଭାରୁ ଆସିଛି ସାଂଘାତିକ ତଥ୍ୟ। ଗତ ୨ ବର୍ଷରେ ‘ଆମ ବସ’ ଦ୍ୱାରା ୩୨ଟି ଦୁର୍ଘଟଣା ଘଟିଥିବା ବେଳେ, ୧୪ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି ଏବଂ ୧୮ ଜଣ ଗୁରୁତର ହୋଇଛନ୍ତି।
ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତ କିଛି ଦିନ ମଧ୍ୟରେ ବାରମ୍ବାର ଆମବସ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ବେପରୁଆ ଗାଡିଚାଳନା ପାଇଁ ଅନେକ ସ୍ଥାନରେ ଏଭଳି ଦୁର୍ଘଟଣା ହେଉଛି। ଯାହାକୁ ନେଇ ସାଧାରଣ ଲୋକ ଆମ ବସ୍କୁ ଭଙ୍ଗାରୁଜା କରୁଥିବାର ନଜିର ରହିଛି।
ଯଦିଓ ପରିବହନ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ କୃଟ ପକ୍ଷରୁ ଡ୍ରାଇଭରମାନଙ୍କୁ ତାଲିମ, ନିଶାସେବନ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କରାଯାଉଛି, ତଥାପି ଅସାବଧାନତା ଯୋଗୁଁ ଦୁର୍ଘଟଣା ରୋକାଯାଉନାହିଁ।
ଦୁର୍ଘଟଣାକୁ ରୋକିବା ପାଇଁ ବସ୍ଗୁଡ଼ିକର ବେଗକୁ ମଧ୍ୟ ସୀମିତ କରାଯାଇଛି।
- ⚡ ଇଲେକ୍ଟ୍ରିକ ବସ୍: ୩୫ କିମି/ଘଣ୍ଟା
- ⚡ ଡିଜେଲ ବସ୍: ୪୦ କିମି/ଘଣ୍ଟା
- ⚡ ରାଜପଥରେ: ୫୦ କିମି/ଘଣ୍ଟା
ହେଲେ ପ୍ରଶ୍ନ ଉଠୁଛି ଏତେ ନିୟମ ଥିଲେ ମଧ୍ୟ କାହିଁକି ରୋକାଯାଉନାହିଁ ଦୁର୍ଘଟଣା? ଅନେକ ସମୟରେ ‘ଆମ ବସ’ ଅସାବଧାନତା ଯୋଗୁଁ ଛାତିଥରା ଦୁର୍ଘଟଣା ହେଉଛି।