ନୟାଗଡ଼: ନୟାଗଡ଼ ଜିଲ୍ଲାର ବାଣ ବିସ୍ଫୋରଣ ଘଟଣା ଆହୁରି ଭୟାବହ ରୂପ ନେଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିବା ସହିତ ମୃତକଙ୍କ ସଂଖ୍ୟା ୩କୁ ବଢ଼ିଛି। ମୃତକ ହେଲେ କୋରଡ଼ା ଗ୍ରାମର ବାସିନ୍ଦା ହାଡିବନ୍ଧୁ ସେଠୀ। ଏହା ପୂର୍ବରୁ ଏହି ଦୁର୍ଘଟଣାରେ ଦୁଇ ଶ୍ରମିକ ନିରଞ୍ଜନ ନାହାକ ଓ ବାପୁନି ନାହାକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତିନିଜଣଙ୍କ ମୃତ୍ୟୁ ସହ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଏପ୍ରିଲ ୩ ତାରିଖରେ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ପାଇଁ ବାଣ ତିଆରି ସମୟରେ କୋରଡ଼ା ଗ୍ରାମରେ ଏହି ଭୟାବହ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ନାବାଳକ ସହ ମୋଟ ୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସେମାନଙ୍କୁ ନୁଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଶେଷରେ ଭୁବନେଶ୍ୱର AIIMSକୁ ରେଫର କରାଯାଇଛି।
ବର୍ତ୍ତମାନ ଆହୁରି ୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଃଖଦ ଘଟଣା ପୁଣିଥରେ ଅବୈଧ ଓ ଅସୁରକ୍ଷିତ ବାଣ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି।
ଅଧିକ ପଢନ୍ତୁ : ନୟାଗଡ଼ ବାଣ ବିସ୍ଫୋରଣ ମାମଲା; ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ, ୫ ଜଣ ଏବେ ମଧ୍ୟ ଗୁରୁତର