ନୟାଗଡ଼ ଜିଲ୍ଲାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ଦଶପଲ୍ଲା ଥାନା ଅନ୍ତର୍ଗତ ନୁଆଗାଁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଥିବା ବାପି ନାହାକଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି (ଶନିବାର) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ମୃତ ବାପି ନାହାକ ନୟାଗଡ଼ ଜିଲ୍ଲାର ମୀନାଗାଡ଼ିଆ ଗ୍ରାମର ବସିନ୍ଦା। ଆସନ୍ତା ୭ ଏପ୍ରିଲରେ ହେବାକୁ ଥିବା ଲଙ୍କାପୋଡ଼ି ଉତ୍ସବ ପାଇଁ ସେ ଘରେ ବାଣ ତିଆରି କରୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ପୋଡ଼ିଯାଇଥିଲେ।
ଏହି ବିସ୍ଫୋରଣରେ ମୋଟ ୬ ଜଣ ଆହତ ହୋଇଥିଲେ, ଯାହାଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ଛୋଟ ଛୁଆ ମଧ୍ୟ ରହିଛନ୍ତି। ଘଟଣା ପରେ ସମସ୍ତ ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଥିବାଙ୍କୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।
ବର୍ତ୍ତମାନ ଦୁଇଜଣ ଆହତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି, ଯେତେବେଳେ ଅନ୍ୟ ତିନିଜଣଙ୍କ କଟକର ଏସସିବିରେ ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏପଟେ ନୁଆଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ବିସ୍ଫୋରଣର ସଠିକ୍ କାରଣ ଖୋଜାଯାଉଛି।