ପୁରୀ: ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ନାଁରେ ଭକ୍ତଙ୍କୁ ଠକିବା ଅଭିଯୋଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡାକ୍ତର ଅରବିନ୍ଦ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛତାର ସେବକ ରଞ୍ଜିତ କରଙ୍କୁ ନିଲମ୍ବିତ କରାଯାଇଛି । ଛତାର ସେବକ ୬ ମାସ ଯାଏଁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ସେ ହାଇଦ୍ରାବାଦର ଜଣେ ଭକ୍ତଙ୍କୁ ୧୪ ହାତି ଧ୍ୱଜାର ଜାଲ ରସିଦ ଦେଇଥିଲେ ।
ପ୍ରକାଶ ଯୋଗ୍ୟ, ଏପ୍ରିଲ ୧ ତାରିଖରେ ହାଇଦ୍ରାବାଦର ଜଣେ ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଜଣେ ସେବାୟତଙ୍କ ସହଯୋଗରେ ଧ୍ୱଜା ବାନ୍ଧିବାକୁ ରସିଦ କାଟିଥିଲେ । ଉକ୍ତ ରସିଦ ଦେଖାଇ ଧ୍ୱଜା ବାନ୍ଧିବାକୁ କହିବାରୁ ତାହା ଏକ ନକଲି ରସିଦ ବୋଲି ଜଣାପଡ଼ିଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର ସୁପରଭାଇଜର୍ ତାହାକୁ ଯାଞ୍ଚ କରି ଉକ୍ତ ରସିଦଟି ନକଲି ଥିବା କହିଥିଲେ ।