ନୂଆଦିଲ୍ଲୀ: ଇରାନରେ ବଢୁଥିବା ସୈନ୍ୟ ସଂଘର୍ଷ ଏବଂ ବୁଧବାର ସକାଳେ ଘୋଷିତ ଯୁଦ୍ଧବିରତି ମଧ୍ୟରେ ତେହରାନ ସ୍ଥିତ ଭାରତୀୟ ଦୂତାବାସ ବୁଧବାର ନୂଆ ଆଡଭାଇଜରି ଜାରି କରିଛି । ଇରାନରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଦୂତାବାସ ଜରୁରୀକାଳୀନ ଓ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ବି ଜାରି କରାଯାଇଛି ।
ଦୂତାବାସର ଆଡଭାଇଜରିରେ କୁହାଯାଇଛି ଯେ, ୨୦୨୬ ଏପ୍ରିଲ ୭ର ଆଡଭାଇଜରିର ସଂଦର୍ଭରେ ଏବଂ ନିକଟରେ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଆଡଭାଇଜରିରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କୌଣସି ବି ଅନ୍ତର୍ଜାତୀୟ ସୀମା ନିକଟରେ ବିନା ଦୂତାବାସର ପରାମର୍ଶରେ ନ ଯିବାକୁ କୁହାଯାଇଛି ।
ଏହା ପୂର୍ବରୁ ଗତକାଲି ଭାରତୀୟ ଦୂତାବାସ ଏକ ଆଡଭାଇଜରି ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ଇରାନରେ ରହୁଥିବା ଭାରତୀୟ ନାଗରିକ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଯେଉଁଠି ଅଛନ୍ତି ସେଠି ରୁହନ୍ତୁ । କଦାପି ବାହାରକୁ ବାହାରନ୍ତୁ ନାହିଁ । ଏହି ସମୟରେ ବିଜୁଳି ଉପକରଣ, ସାମରିକ ପ୍ରତିଷ୍ଠାନ ଓ ବହୁତଳ କୋଠାର ଉପର ମହଲାରୁ ଦୂରେଇ ରୁହନ୍ତୁ । ଘର ଭିତରେ ରୁହନ୍ତୁ ଏବଂ ରାସ୍ତାରେ କୌଣସି ପ୍ରକାରର ଯାତ୍ରା କରିବାକୁ ହେଲେ ଦୂତାବାସର କଡା ନିର୍ଦ୍ଦେଶ ପାଳନ କରିବା ସହ ଯୋଗାଯୋଗ କରନ୍ତୁ ।
ଦୁଇ ସପ୍ତାହ ଅସ୍ତ୍ରବିରତି ପାଇଁ ସହମତି
ଏକ ବଡ ଘଟଣାକ୍ରମରେ ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ନେଇ ସହମତି ପ୍ରକାଶ ପାଇଛି । ମଙ୍ଗଳବାର ସନ୍ଧ୍ୟାରେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ଟ୍ରୁଥରେ ଏହାର ଘୋଷଣା କରିଛନ୍ତି । ଏହା ସହିତ ଇରାନ ଦ୍ୱାରା ପ୍ରସ୍ତାବିତ ୧୦ ସର୍ତ୍ତ ଉପରେ ମଧ୍ୟ ବିଚାର କରାଯାଉଛି । ଅନ୍ୟପଟେ ଡେମୋକ୍ରାଟିକ ପାର୍ଟିର ନେତା ଇରାନ ସଭ୍ୟତାକୁ ସମାପ୍ତ କରିବା ଟ୍ରମ୍ପଙ୍କ ଧମକକୁ ନେଇ ତାଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି ।
Also Read: ଟ୍ରମ୍ପଙ୍କ ଘୋଷଣା ପରେ ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ତଳକୁ ଖସିଲା