୨୦୦୯ ମସିହାର କଥା, ଜାତିସଂଘ ପକ୍ଷରୁ କେନିଆ, ଉଗାଣ୍ଡା ଏବଂ ରୁଆଣ୍ଡା ଭଳି ଆଫ୍ରିକୀୟ ଦେଶ ପାଇଁ ସାହାଯ୍ୟ ସାମଗ୍ରୀ ନେଇ ଯାଉଥିବା ଏକ ଆମେରିକୀୟ ଜାହାଜ ସଙ୍କଟରେ ପଡ଼ିଥିଲା। ସୋମାଲିଆ ବାଟ ଦେଇ ଯାଉଥିବା ସମୟରେ ସାମୁଦ୍ରିକ ଡକାୟତମାନେ ଆକ୍ରମଣ କରି ଜାହାଜର କ୍ୟାପଟେନ୍ ରିଚାର୍ଡ ଫିଲିପ୍ସଙ୍କୁ ବନ୍ଧକ ବନାଇ ଦେଇଥିଲେ। ଆଧୁନିକ ଯୁଗରେ ଏହା ପ୍ରଥମ ଥର ଥିଲା ଯେତେବେଳେ କେହି ଆମେରିକା ଜାହାଜ ଉପରେ ହାତ ଲଗାଇବାର ସାହାହ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ ଏବଂ ଆମେରିକାର ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ସିଲ୍ ଟିମ୍-୬ ଲୁଟେରାମାନଙ୍କୁ ନିପାତ କରି କ୍ୟାପଟେନ୍ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।
ଏହା ତ କେବଳ ଟ୍ରେଲର ଥିଲା। ଏହାର ୨ ବର୍ଷ ପରେ ଏହି ସ୍ପେଶାଲ୍ ଫୋର୍ସ ଏଭଳି ଏକ କାର୍ଯ୍ୟ କରି ଦେଖାଇଲା ଯେ ସାରା ବିଶ୍ୱ ଚକିତ ହୋଇଗଲା। ୨୦୧୧ରେ ପାକିସ୍ତାନ ଭିତରେ ପଶି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଦେନକୁ ହତ୍ୟା କରିବା ସହ ତା’ର ଶରୀରକୁ ସମୁଦ୍ର ଗଭୀର ଜଳରାଶିରେ କବର ଦେଇଥିଲା ଏହି ଟିମ୍। ଏହି ସ୍ପେଶାଲ୍ ୟୁନିଟ୍ ଏବେ ପୁଣି ଚର୍ଚ୍ଚାରେ ଅଛି, କାରଣ ଇରାନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ସେମାନେ F-15E ବିମାନର ଜଣେ ଆହତ ଅଫିସରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।
ଇରାନରେ ପଶି ପାଇଲଟ୍ଙ୍କୁ କେମିତି ବଞ୍ଚାଇଲେ?
ଇରାନ ସହ ଯୁଦ୍ଧ ମଧ୍ୟରେ ୩ ଏପ୍ରିଲ ରାତିରେ ଆମେରିକାର F-15E ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୱେପନ୍ ସିଷ୍ଟମ୍ ଅଫିସର ପାରାଚୁଟ୍ ସାହାଯ୍ୟରେ ପ୍ରାୟ ୭ ହଜାର ଫୁଟ୍ ଉଚ୍ଚରେ ଥିବା ଜାଗ୍ରୋସ୍ ପାହାଡ଼ି ଅଞ୍ଚଳରେ ଓହ୍ଲାଇଥିଲେ। ଇରାନୀ ସେନା ତାଙ୍କୁ ଖୋଜୁଥିବା ବେଳେ ସେ ୨୪ ଘଣ୍ଟାରୁ ଅଧିକ ସମୟ ପାହାଡ଼ ଉପରେ ଲୁଚି ରହିଥିଲେ।
ଆମେରିକା ଏବଂ ଇସ୍ରାଏଲ୍ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ। ରାତିର ଅନ୍ଧାରରେ ସିଲ୍ ଟିମ୍-୬ ଦୁଇଟି MC-130J ଏୟାରକ୍ରାଫ୍ଟ ଏବଂ MH-6 ଲିଟିଲ୍ ବାର୍ଡ ହେଲିକପ୍ଟର ସାହାଯ୍ୟରେ ଏହି ଅପରେସନ୍ କରିଥିଲା। ଇରାନୀମାନେ ଯେପରି କିଛି ସୂଚନା ନପାଆନ୍ତି, ସେଥିପାଇଁ ନେଭି ସିଲ୍ ନିଜର ଫସି ରହିଥିବା ବିମାନକୁ ନଷ୍ଟ କରିଦେଇଥିଲେ। ଶେଷରେ ସେମାନେ ଆହତ ଅଫିସରଙ୍କୁ ଉଦ୍ଧାର କରି କୁଏତ ନେଇ ଆସିଥିଲେ।
କ’ଣ ଏହି SEAL ଟିମ୍-୬ ?
ନେଭାଲ୍ ସ୍ପେଶାଲ୍ ୱାରଫେୟାର୍ ଡେଭଲପମେଣ୍ଟ ଗ୍ରୁପକୁ ଟିମ୍-୬ ବା ସଂକ୍ଷେପରେ DEVGRU କୁହାଯାଏ। ଏହାର ସଦସ୍ୟମାନଙ୍କୁ SEAL କୁହାଯାଏ, ଯାହାର ଅର୍ଥ ହେଉଛି Sea (ସମୁଦ୍ର), Air (ଆକାଶ) ଏବଂ Land (ଭୂମି)। ଅର୍ଥାତ୍ ଏହି ଯବାନମାନେ ଜଳ, ସ୍ଥଳ ଏବଂ ଆକାଶ—ସବୁଠି ଲଢ଼ିବା ପାଇଁ ପ୍ରଶିକ୍ଷିତ।
କଲର କୋଡ୍ ସ୍କ୍ୱାଡ୍ରନ୍ ଏବଂ ଅସ୍ତ୍ରଶସ୍ତ୍ର: DEVGRU କୁ କିଛି କଲର କୋଡ୍ ସ୍କ୍ୱାଡ୍ରନ୍ରେ ବିଭକ୍ତ କରାଯାଇଛି:
• ଗ୍ରୀନ୍ ଟିମ୍: ସିଲେକ୍ସନ୍ ଏବଂ ଟ୍ରେନିଂ ପାଇଁ।
• ଅନ୍ୟାନ୍ୟ: ଗ୍ରେ, ବ୍ଲାକ୍, ସିଲଭର, ଗୋଲ୍ଡ, ବ୍ଲୁ ଏବଂ ରେଡ୍ ସ୍କ୍ୱାଡ୍ରନ୍। ପ୍ରତ୍ୟେକର କାମ ଅଲଗା—କେହି ଗୁପ୍ତଚର ତଥ୍ୟ ସଂଗ୍ରହ କରନ୍ତି ତ କେହି ସିଧାସଳଖ ଆକ୍ରମଣ କରନ୍ତି।
ଏମାନଙ୍କ ପାଖରେ ବିଶ୍ୱର ସବୁଠାରୁ ମାରାତ୍ମକ ଅସ୍ତ୍ର ରହିଥାଏ, ଯେପରିକି HK416 ଆସଲ୍ଟ ରାଇଫଲ୍, Mk48 ମସିନ୍ ଗନ୍ ଏବଂ ବାରେଟ୍ M107A1 ସ୍ନାଇପର୍ ରାଇଫଲ୍।
ଏହି ୟୁନିଟ୍ ଗଠନ ପଛର କାହାଣୀ
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ୟୁନିଟ୍ର ଜନ୍ମ ମଧ୍ୟ ଇରାନର ଏକ ବିଫଳ ଅପରେସନ୍ ଯୋଗୁଁ ହୋଇଥିଲା। ୧୯୮୦ରେ ଇରାନରେ ବନ୍ଧକ ଥିବା ୫୨ ଜଣ ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ‘ଅପରେସନ୍ ଇଗଲ୍ କ୍ଲ’ ଆରମ୍ଭ କରିଥିଲା, ଯାହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ୮ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ। ଏହି ଲଜ୍ଜାଜନକ ପରାଜୟ ପରେ ଆମେରିକା ଅନୁଭବ କଲା ଯେ ତାଙ୍କ ପାଖରେ ଏଭଳି ଏକ ୟୁନିଟ୍ ଦରକାର ଯିଏ ଯେକୌଣସି ଜଟିଳ ମିଶନକୁ ସଫଳ କରିପାରିବ। ସେଇଠୁ ଜନ୍ମ ନେଇଥିଲା ସିଲ୍ ଟିମ୍-୬।