ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ୍ ଯୁଦ୍ଧ ପରିପ୍ରେକ୍ଷିତରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (MIB) ମଙ୍ଗଳବାର ଦିନ Broadcast Audience Research Council (BARC)କୁ ନ୍ୟୁଜ୍ ଟିଭି ଚ୍ୟାନେଲମାନଙ୍କର Television Rating Points (TRP) ପ୍ରକାଶ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତି ୪ ସପ୍ତାହ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଲାଗୁ ରହିବ।
ମନ୍ତ୍ରାଳୟର କହିବା ଅନୁସାରେ, କିଛି ଟିଭି ଚ୍ୟାନେଲ ଯୁଦ୍ଧ ସମ୍ବନ୍ଧୀୟ ଖବରକୁ ଅତ୍ୟଧିକ ଚାଞ୍ଚଲ୍ୟକର ଓ ଅନୁମାନ ଆଧାରିତ ଭାବେ ପ୍ରସାରଣ କରୁଛନ୍ତି। ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ସ୍ଥାୟୀ ପଦକ୍ଷେପ ନେଇଛନ୍ତି, ଯାହା ମାଧ୍ୟମରେ ଦାୟିତ୍ୱପୂର୍ଣ୍ଣ ସମ୍ବାଦ ପ୍ରସାରଣକୁ ଉତ୍ସାହ ଦିଆଯିବ।
TRP କ’ଣ?
TRP ହେଉଛି ଟିଭି ଚ୍ୟାନେଲ ଓ ପ୍ରୋଗ୍ରାମ୍ମାନଙ୍କର ଲୋକପ୍ରିୟତା ମାପିବା ଏକ ପ୍ରମୁଖ ମାନକ। ଏହା ଆଧାରରେ ବିଜ୍ଞାପନ ଓ ଆୟ ନିର୍ଭର କରେ। TRP ପ୍ରକାଶ ବନ୍ଦ ହେଲେ ଚ୍ୟାନେଲମାନଙ୍କ ମଧ୍ୟରେ ଦୃଶ୍ୟପଟ୍ଟ ପାଇଁ ହୋଇଥିବା ପ୍ରତିଯୋଗିତା କମିପାରେ। ଏହା ଦ୍ୱାରା ସଠିକ୍ ଓ ସମତୁଳିତ ଖବର ପ୍ରସାରଣକୁ ଉତ୍ସାହ ମିଳିବ ବୋଲି ଆଶା କରାଯାଉଛି।
ଏହି ପଦକ୍ଷେପ ମାଧ୍ୟମରେ ସରକାର ମିଡିଆରେ ଦାୟିତ୍ୱବୋଧ ବଢ଼ାଇବା ସହିତ ଭ୍ରାନ୍ତିକର ଓ ଚାଞ୍ଚଲ୍ୟକର ଖବରକୁ ରୋକିବାକୁ ଚେଷ୍ଟା କରୁଛି। ଏହା ସହ ଚ୍ୟାନେଲ୍ ଗୁଡ଼ିକ କେବଳ ନମ୍ବର-୧ ହେବା ପାଇଁ ଚେଷ୍ଟା ନକରି ଗମ୍ଭୀରତାର ସହ ଖବର ପରିବେଷଣ କରନ୍ତୁ ବୋଲି ନିର୍ଦ୍ଦେଶ ରହିଛି ।
ଅଧିକ ପଢନ୍ତୁ: ଏୟାର କାର୍ଗୋ ସେବା ସହ ନୂଆ ପରିଚୟ ପାଇବ ଝାରସୁଗୁଡା; ବଦଳିବ ପଶ୍ଚିମ ଓଡିଶାର ଅର୍ଥନୀତି