ଯାଜପୁର: ଯାଜପୁର ଜିଲ୍ଲାରେ ପୁଣି ଦେଖାଦେଇଛି ଗୋଷ୍ଠୀ ସଂଘର୍ଷର ଭୟଙ୍କର ଚିତ୍ର। ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧୀନ ଥାଲକୁଡ଼ି ପଞ୍ଚାୟତର କଷବା ଗ୍ରାମରେ ଦୁଇ ସାହି ମଧ୍ୟରେ ହୋଇଥିବା ବିବାଦ ହଠାତ୍ ରୂପ ନେଇଛି ରକ୍ତାକ୍ତ ସଂଘର୍ଷରେ।
ସକାଳ ସମୟରେ ପାଲାମଣ୍ଡପ ନିକଟରେ ଦୁଇ ପକ୍ଷରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଉଭୟ ପକ୍ଷର ଲୋକମାନେ ପରସ୍ପର ଉପରେ କାଚ ବୋତଲ, ବାଡ଼ି, ଟେକା ଓ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଯାଇଥିଲା। ଏହି ହିଂସ୍ର ସଂଘର୍ଷରେ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗାଁରେ ପୂର୍ବରୁ କୀର୍ତ୍ତନ, କାଳୀ ପୂଜା ଓ ପାଲା ସମୟରେ ନିଜେ ନିଜେ ଛୋଟ ଛୋଟ ବିବାଦ ହୋଇଆସୁଥିଲା। ବହୁବାର ଥାନା ପୋଲିସ ଓ ସ୍ଥାନୀୟ ଭଦ୍ରଲୋକଙ୍କ ମଧ୍ୟସ୍ଥତାରେ ସମାଧାନ ହେବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ମୂଳ ସମସ୍ୟା ଅବିକଳ ରହିଥିଲା। ଏହି ପୁରୁଣା ବିବାଦ ଆଜି ଭୟାବହ ରୂପ ନେଇଥିବା ବେଳେ ଗାଁରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ଘଟଣା ସମ୍ବନ୍ଧରେ ଖବର ପାଇ ମଙ୍ଗଳପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ବର୍ତ୍ତମାନ ଗାଁରେ ପୁଲିସ ମୁତୟନ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଛି।