ନୂଆଦିଲ୍ଲୀ: ପୁଣି ଥରେ ମଣିପୁରରେ ହିଂସା ମୁଣ୍ଡ ଟେକିଛି । ବିଷ୍ଣୁପୁର ଜିଲ୍ଲାରେ ରକେଟ୍ ମାଡ଼ରେ ୨ ପିଲାଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ବିଷ୍ଣୁପୁର ଜିଲ୍ଲା ମୋଇରାଙ୍ଗ ଥାନା ଅନ୍ତର୍ଗତ ଟ୍ରୋଙ୍ଗଲାଔବୀ ଅବାଙ୍ଗ ଲେଇକାଈରେ କୁକୀ ଉଗ୍ରବାଦୀମାନେ ରକେଟ୍ ମାଡ଼ କରିଥିଲେ । ଏହା ଗୋଟିଏ ଘର ଉପରେ ପଡ଼ିବାରୁ ଗୋଟିଏ ୫ ବର୍ଷର ଶିଶୁ ଏବଂ ଗୋଟିଏ ୫ ମାସର ନବଜାତ ଶିଶୁ ଗୁରୁତର ହୋଇପଡ଼ିଥିଲେ । ଦୁଇ ଜଣଙ୍କୁ ପରିବାର ଲୋକେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।
ଏହି ଘଟଣା ପରଠାରୁ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ରାସ୍ତା ଉପରେ ପୁଣି ଥରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଲୋକେ ଗୋଟିଏ ଟ୍ୟାଙ୍କର ଏବଂ ଗୋଟିଏ ଟ୍ରକରେ ନିଆଁ ଲଗେଇ ଦେଇଛନ୍ତି । ଥାନା ସମ୍ମୁଖରେ ମଧ୍ୟ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁର ସୀମାରେ ଥିବା ଏକ ସିଆରପିଏଫ୍ ଶିବିର ଉପରେ ମଧ୍ୟ ଆକ୍ରମଣ ହୋଇଛି । ଧିରେ ଧିରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସୁରକ୍ଷାବାହିନୀ ଫାଙ୍କା ଗୁଳି ଚାଳନା ସହିତ ଲୁହ ବୁଗା ଗ୍ୟାସ୍ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ଏଥିରେ ଅତିକମରେ ୧୯ ଜଣ ଆହତ ହୋଇଛି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏପିରିକି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ବିଷ୍ଣୁପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଛି । ଗୁଜବ ପ୍ରସାରଣକୁ ରୋକିବାକୁ ୫ଟି ସୀମାବର୍ତ୍ତୀ ଜିଲ୍ଲା ମାନଙ୍କରେ ଆଗାମୀ ୩ ଦିନ ଯାଏ କର୍ଫ୍ୟୁ ଜାରି କରାଯାଇଛି । ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ।