ତାମିଲନାଡୁର ଏକ ଅଦାଲତ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ୬ ବର୍ଷ ପୂର୍ବେ ୨୦୨୦ ଜୁନ୍ ମାସରେ କୋଭିଡ ଲକଡାଉନ୍ ନିୟମର କଥିତ ଉଲ୍ଲଙ୍ଘନକୁ ନେଇ ପୋଲିସ ଏକ ଦୋକାନରୁ ପିତା ଏବଂ ପୁଅଙ୍କୁ ଥାନାକୁ ଆଣି ବର୍ବର ଭାବେ ପିଟିଥିଲା। ବ୍ୟବସାୟୀ- ପି. ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସଙ୍କୁ ପୂରା ରାତି ଉଲଗ୍ନ କରି ମରାଯାଇଥିଲା ଏବଂ ପରେ ଜେଲରେ ପଠାଇ ଦିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଯେତେବେଳେ ଦୁଇ ଦିନ ପରେ ସେମାନଙ୍କୁ ଡାକ୍ତରଖାନା ନିଆଗଲା, ସେଠାରେ ସେମାନେ ପ୍ରାଣ ହରାଇଥିଲେ। ଏବେ ମଦୁରାଇର ସ୍ଥାନୀୟ ଅଦାଲତ ୯ ଜଣ ପୋଲିସ କର୍ମଚାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ପରେ ମୃତ୍ୟୁଦଣ୍ଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରକୃତରେ ମୃତ୍ୟୁଦଣ୍ଡ ସଜା କେତେବେଳେ ମିଳିଥାଏ? ଭାରତରେ ଏହାକୁ ନେଇ କ’ଣ ଆଇନ ରହିଛି? ଦେଶରେ ସବୁଠାରୁ ପ୍ରଥମେ କାହାକୁ ଏହି ଦଣ୍ଡ ମିଳିଥିଲା ଏବଂ ଆଜି ପର୍ଯ୍ୟନ୍ତ କେତେ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇ ସାରିଲାଣି?
ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ‘ମୃତ୍ୟୁଦଣ୍ଡ’କୁ ସବୁଠାରୁ କଠୋର ସଜା ଭାବେ ମାନାଯାଇଛି। ଭାରତ ସେହି ଦେଶଗୁଡ଼ିକ ମଧ୍ୟରେ ସାମିଲ ଅଛି ଯେଉଁଠାରେ ଫାଶୀ ସଜାର ପ୍ରାବଧାନ ଆଜି ବି ଜାରି ରହିଛି, କିନ୍ତୁ ଏହା କେବଳ ବିରଳରୁ ଅତି ବିରଳ ମାମଲାରେ ହିଁ ଦିଆଯାଇଥାଏ। ଆସନ୍ତୁ ଜାଣିବା ଭାରତର ସମ୍ବିଧାନ ଏବଂ ଆଇନ ଏହି ସର୍ବୋଚ୍ଚ ଦଣ୍ଡ ବିଷୟରେ କ’ଣ କହୁଛି।
କେଉଁ ପରିସ୍ଥିତିରେ ମିଳେ ମୃତ୍ୟୁଦଣ୍ଡ ?
ମୃତ୍ୟୁଦଣ୍ଡର ଆଇନଗତ ଆଧାର ବିଷୟକୁ ବୁଝିବା। ଭାରତରେ ଫାଶୀ ସଜା ମୁଖ୍ୟତଃ BNS ଅର୍ଥାତ୍ ଭାରତୀୟ ନ୍ୟୟ ସଂହିତା ଅଧୀନରେ ଦିଆଯାଇଥାଏ, ଯାହାକୁ ପୂର୍ବରୁ IPC କୁହାଯାଉଥିଲା। ଏହା ବ୍ୟତୀତ କିଛି ବିଶେଷ ଆଇନ ମଧ୍ୟ ଅଛି, ଯେଉଁଥିରେ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି। ଏଥିରେ BNS ଅଧୀନରେ ଜଘନ୍ୟ ହତ୍ୟାର ଧାରା ୧୦୩ ସାମିଲ ଅଛି, ଯେତେବେଳେ ହତ୍ୟା କ୍ରୂରତାର ସବୁ ସୀମା ଅତିକ୍ରମ କରିଦିଏ।
ଏହା ସହିତ BNSର ଧାରା ୧୪୭-୧୫୨ ଅଧୀନରେ ଦେଶଦ୍ରୋହ ଅର୍ଥାତ୍ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିବା। ଆତଙ୍କବାଦୀ କାର୍ଯ୍ୟକଳାପ ଅର୍ଥାତ୍ UAPA ଭଳି କଠୋର ଆଇନ ଅଧୀନରେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବା ମଧ୍ୟ ସାମିଲ ଅଛି। POCSO ଆକ୍ଟ ଅର୍ଥାତ୍ ଛୋଟ ପିଲାଙ୍କ ସହ ଯୌନ ଅପରାଧର ଗମ୍ଭୀର ମାମଲାରେ ଫାଶୀର ପ୍ରାବଧାନ ଯୋଡ଼ା ଯାଇଛି। ବିଷାକ୍ତ ମଦ ସେବନ ଯୋଗୁଁ ଯଦି ମୃତ୍ୟୁ ହୁଏ, ତେବେ କିଛି ରାଜ୍ୟର ଆଇନରେ ଏହାର ପ୍ରାବଧାନ ରହିଛି।
ବିରଳରୁ ବିରଳତର ସିଦ୍ଧାନ୍ତ କ’ଣ?
୧୯୮୦ ମସିହାରେ ବଚନ ସିଂହ ବନାମ ପଞ୍ଜାବ ରାଜ୍ୟ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। କୋର୍ଟ ସ୍ଥିର କରିଥିଲେ ଯେ ଫାଶୀ ସଜା ପ୍ରତିଟି ହତ୍ୟା ମାମଲାରେ ଦିଆଯାଇପାରିବ ନାହିଁ। ଏହା କେବଳ ସେତିକିବେଳେ ଦିଆଯିବ, ଯେତେବେଳେ ଅପରାଧର ପ୍ରକୃତି ସମାଜକୁ ଭିତରୁ ଥରାଇ ଦେଉଥିବ। ଅପରାଧୀର ସୁଧୁରିବାର କୌଣସି ସୁଯୋଗ ବାକି ନଥିବ।
ଫାଶୀ ସଜାରେ ଟ୍ରାଏଲ୍ରୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ଯାତ୍ରା
ଭାରତରେ କାହାକୁ ଫାଶୀ ଦେବା ଏକ ଦୀର୍ଘ ଏବଂ ଜଟିଳ ପ୍ରକ୍ରିୟା, ଯେଉଁଥିରେ ନ୍ୟାୟର ସାମାନ୍ୟତମ ତ୍ରୁଟିର ସମ୍ଭାବନାକୁ ଶୂନ୍ୟ କରିବାକୁ ଚେଷ୍ଟା କରାଯାଏ। ପ୍ରଥମେ ମାମଲା ସେସନ୍ସ କୋର୍ଟକୁ ଯାଏ, ଯେଉଁଠାରେ ନିମ୍ନ ଅଦାଲତ ସଜା ଶୁଣାନ୍ତି। ଏହାପରେ ହାଇକୋର୍ଟଙ୍କ ସମ୍ମତି ଆସେ। CrPC ର ଧାରା ୩୬୬ ଅନୁସାରେ ଫାଶୀ ସଜା ସେପର୍ଯ୍ୟନ୍ତ ପ୍ରଭାବୀ ହୁଏନାହିଁ, ଯେପର୍ଯ୍ୟନ୍ତ ହାଇକୋର୍ଟ ତାହାକୁ ନିଶ୍ଚିତ ନ କରିଛନ୍ତି।
ଏହାପରେ ସୁପ୍ରିମକୋର୍ଟଙ୍କ ପାଳି ଆସେ। ଅପରାଧୀ ପାଖରେ ଶୀର୍ଷ ଅଦାଲତରେ ଅପିଲ୍ କରିବାର ଅଧିକାର ଥାଏ। ଏଠାରେ ପୁନର୍ବିଚାର ଏବଂ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଏ। ନ୍ୟାୟିକ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ଅଧୀନରେ ଦୟା ଆବେଦନର ପାଳି ଆସେ। ସମ୍ବିଧାନର ଅନୁଚ୍ଛେଦ ୭୨ ଅଧୀନରେ ରାଷ୍ଟ୍ରପତି ଏବଂ ଅନୁଚ୍ଛେଦ ୧୬୧ ଅଧୀନରେ ରାଜ୍ୟପାଳଙ୍କୁ ସଜା ମାଫ୍ କରିବାର ଅଧିକାର ଅଛି। ରାଷ୍ଟ୍ରପତିଙ୍କ ‘ଦୟା’ ହିଁ ଶେଷ ଆଶା ହୋଇଥାଏ।
ଅନୁଚ୍ଛେଦ ୨୧ରୁ ସାମ୍ବିଧାନିକ ସୁରକ୍ଷା
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ପ୍ରତିଟି ନାଗରିକଙ୍କୁ ‘ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର’ ଦେଇଥାଏ। ଏଥିରେ ସ୍ପଷ୍ଟ ଅଛି ଯେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଜୀବନରୁ କେବଳ ‘ଆଇନ ପକ୍ଷରୁ ସ୍ଥାପିତ ପ୍ରକ୍ରିୟା’ ଅଧୀନରେ ହିଁ ବଞ୍ଚିତ କରାଯାଇପାରିବ। ଏହି କାରଣରୁ ଫାଶୀ ଦେବା ପୂର୍ବରୁ ଅପରାଧୀକୁ ଅପିଲ୍ କରିବାର ସମସ୍ତ ସମ୍ଭବ ସୁଯୋଗ ଦିଆଯାଇଥାଏ।
ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହା ଯେ ଭାରତରେ ଫାଶୀ ସବୁବେଳେ ସୂର୍ଯ୍ୟୋଦୟ ପୂର୍ବରୁ ଦିଆଯାଏ। ଜେଲ୍ ମାନୁଆଲ୍ ଅନୁସାରେ, ଫାଶୀ ସମୟରେ ସମ୍ପୃକ୍ତ ଜେଲ୍ ଅଧୀକ୍ଷକ, ମେଡିକାଲ୍ ଅଫିସର ଏବଂ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିବା ଅନିର୍ବାର୍ଯ୍ୟ। ଫାଶୀ ପରେ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯିବା ପର୍ଯ୍ୟନ୍ତ ଶବ ଫାଶୀ ଖୁଣ୍ଟରେ ଝୁଲି ରହିଥାଏ। ଭାରତରେ ମୃତ୍ୟୁଦଣ୍ଡକୁ ନେଇ ମାନବାଧିକାର ସଂଗଠନ ଏବଂ ଆଇନ କମିଶନ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହୁଏ। ଯେଉଁଠି କିଛି ଲୋକ ଏହାକୁ ସମାପ୍ତ କରିବାକୁ ଦାବି କରନ୍ତି, ସେଠାରେ ଆଇନ ବିଶେଷଜ୍ଞଙ୍କ ମତରେ ଜଘନ୍ୟ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏହା ଆବଶ୍ୟକ।
ଭାରତରେ ଫାଶୀ ଖୁଣ୍ଟରେ କେତେ ଜଣ ଝୁଲିଛନ୍ତି ?
ଇତିହାସ କଥା କହିଲେ ସ୍ୱାଧୀନତା ସଂଗ୍ରାମରେ ଫାଶୀ ଖୁଣ୍ଟରେ ଝୁଲିଥିବା ଲୋକଙ୍କ ମଧ୍ୟରେ ଉନବିଂଶ ଶତାବ୍ଦୀରେ ନନ୍ଦକୁମାର ମହାରାଜାଙ୍କଠାରୁ ଆରମ୍ଭ କରି ମଙ୍ଗଳ ପାଣ୍ଡେ, ଭଗତ ସିଂହ, ରାଜଗୁରୁ, ସୁଖଦେବ, ଖୁଦିରାମ ବୋଷଙ୍କ ଭଳି ଅନେକ ନାମ ସାମିଲ ଅଛି। ସେହିପରି ସ୍ୱାଧୀନତା ମିଳିବା ପରେ ୯ ସେପ୍ଟେମ୍ବର ୧୯୪୭ରେ ରଘୁରାଜ ସିଂହ ଓରଫ୍ ରାଶାଙ୍କୁ ଜବଲପୁର ସେଣ୍ଟ୍ରାଲ୍ ଜେଲରେ ଫାଶୀ ଖୁଣ୍ଟରେ ଝୁଲାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ହତ୍ୟାର ଦୋଷୀ ନାଥୁରାମ ଗୋଡ୍ସେ ଏବଂ ନାରାୟଣ ଆପ୍ଟେଙ୍କୁ ୧୫ ନଭେମ୍ବର ୧୯୪୯ରେ ଦିଆଯାଇଥିଲା।
ନ୍ୟାସନାଲ୍ ଲ’ ୟୁନିଭର୍ସିଟି (NLU) ର ରିପୋର୍ଟ ଅନୁସାରେ ଭାରତରେ ସ୍ୱାଧୀନତା ପରେ ଏପର୍ଯ୍ୟନ୍ତ ୧୪୦୦ରୁ ଅଧିକ ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇ ସାରିଲାଣି। ଚର୍ଚ୍ଚିତ ମାମଲାରେ ଦିଲ୍ଲୀର ତିହାର ଜେଲରେ ରଙ୍ଗା-ବିଲ୍ଲାଙ୍କଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ଷଡ଼ଯନ୍ତ୍ର ଅଭିଯୋଗରେ ସତୱନ୍ତ ସିଂହ ଓ କେହର ସିଂହଙ୍କ ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଆକ୍ରମଣର ଅଭିଯୋଗରେ ଅଜମଲ କସାବ, ଆଫଜଲ ଗୁରୁ, ୟାକୁବ ମେମନଙ୍କ ପରେ ଦିଲ୍ଲୀର ନିର୍ଭୟା କାଣ୍ଡର ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ଲିଷ୍ଟ୍ ବହୁତ ବଡ଼।