ନୂଆଦିଲ୍ଲୀ: ବଲିଉଡରେ କମେଡି ଫିଲ୍ମ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଦର୍ଶନ ଏବେ ନିଜର ଆଗାମୀ ଫିଲ୍ମ ‘ଭୂତ ବଙ୍ଗଳା’ର ରିଲିଜ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ସହିତ ନିର୍ଦ୍ଦେଶକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ପ୍ରିୟଦର୍ଶନ ନିଜ ଛାଡ଼ପତ୍ରର ୧୦ ବର୍ଷ ପରେ ପୁଣି ଥରେ ପୂର୍ବତନ ପତ୍ନୀ ଲିସିଙ୍କ ସହ ରହୁଛନ୍ତି। ଦୁହିଁଙ୍କୁ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ଦେଖିବାକୁ ମିଳିଛି। ଏହି ସମୟରେ ପ୍ରିୟଦର୍ଶନ ନିଜ ସମ୍ପର୍କ ବିଷୟରେ କହିବାକୁ ଯାଇ କହିଛନ୍ତି ଯେ, ସେ ପୂର୍ବତନ ପତ୍ନୀ ଲିସିଙ୍କ ସହ ଅଛନ୍ତି କିନ୍ତୁ ଦୁହିଁଙ୍କର ପୁଣି ଥରେ ବିବାହ କରିବାର କୌଣସି ଯୋଜନା ନାହିଁ।
ଏବେ ପ୍ରିୟଦର୍ଶନ ପୁଣି ଥରେ ନିଜ ସମ୍ପର୍କ ବିଷୟରେ କହିବାକୁ ଯାଇ ନିଜ ଛାଡ଼ପତ୍ର ଉପରେ ନିରବତାକୁ ଭାଙ୍ଗିଛନ୍ତି। ଫିଲ୍ମଫେୟାର ସହିତ ବାର୍ତ୍ତାଳାପରେ ପ୍ରିୟଦର୍ଶନ ଲିସିଙ୍କଠାରୁ ଅଲଗା ହେବାର କାରଣ ଉପରେ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କର ପୁରୁଣା ରୁଢ଼ିବାଦୀ ଚିନ୍ତାଧାରା ଏବଂ ଅହଂକାର ସେମାନଙ୍କ ସମ୍ପର୍କ ମଝିକୁ ଆସିଥିଲା।
୨୦୧୬ରେ ପ୍ରିୟଦର୍ଶନ ଏବଂ ଲିସି ଛାଡ଼ପତ୍ର ନେଇଥିଲେ
ସେ କହିଛନ୍ତି, ‘ଆମେ ୩୨ ବର୍ଷ ଧରି ଏକାଠି ଥିଲୁ। ଶେଷରେ ଆମ ମଧ୍ୟରେ ବିରକ୍ତିଭାବ ଏବଂ ଅହଂକାର ଆସିଗଲା। ଏଭଳି ଅହଂକାର ଯେ “ମୁଁ ତୁମ ପାଇଁ ଅଛି, କିମ୍ବା ତୁମେ ମୋ ପାଇଁ ଅଛ”। ଏହାଦ୍ୱାରା ଆମ ସମ୍ପର୍କ ଟିକେ ପିତା ହୋଇଗଲା। ତେଣୁ ଆମେ ସ୍ଥିର କଲୁ ଯେ ଅଲଗା ହେବା ହିଁ ଶ୍ରେୟସ୍କର।’ ନିର୍ଦ୍ଦେଶକ ଆଗକୁ କହିଛନ୍ତି ଯେ ଅଲଗା ହେବା ପରେ ସେ ଦୁହେଁ ନିଜ ସମ୍ପର୍କର ଗୁରୁତ୍ୱ ବୁଝିପାରିଲେ।
ଛାଡ଼ପତ୍ରର ୧୦ ବର୍ଷ ପରେ ପୁଣି ଏକାଠି ହେଲେ ଦମ୍ପତି
ପ୍ରିୟଦର୍ଶନ ଆଗକୁ କହିଛନ୍ତି, ‘ଛାଡ଼ପତ୍ରର କିଛି ବର୍ଷ ପରେ ଆମେ ଅନୁଭବ କଲୁ ଯେ ଆମେ ପରସ୍ପରକୁ ମିସ୍ କରୁଛୁ। ତେଣୁ ଆମେ ଫେରିଆସିଲୁ। କଥାଟା ଏତିକି ସରଳ। ଏହାର ଅର୍ଥ ଥିଲା ଯେ କେଉଁଠି ନା କେଉଁଠି ସଚ୍ଚା ପ୍ରେମ ଲୁଚି ରହିଥିଲା। କାହାର ସାଥୀ ହେବା ଜରୁରୀ। ସାଥ୍ ବହୁତ ମୂଲ୍ୟ ରଖେ।’ ସେ କହିଛନ୍ତି ଯେ ଏବେ ତାଙ୍କୁ ନିଜ ଭୁଲ୍ ଅନୁଭବ ହୋଇଛି।
ପ୍ରିୟଦର୍ଶନ ଏବଂ ଲିସିଙ୍କ ବିବାହ ୧୩ ଡିସେମ୍ବର ୧୯୯୦ରେ ହୋଇଥିଲା। ପ୍ରାୟ ୩୨ ବର୍ଷ ସାଥୀରେ ବିତାଇବା ପରେ ପ୍ରିୟଦର୍ଶନଙ୍କ ପତ୍ନୀ ଲିସି ବର୍ଷ ୨୦୧୪ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ୨ ବର୍ଷର ଦୀର୍ଘ କେସ୍ ପରେ କୋର୍ଟ ୨୦୧୬ରେ ଦମ୍ପତିଙ୍କ ଛାଡ଼ପତ୍ର ମଞ୍ଜୁର କରିଥିଲେ। ସେହି ସମୟରେ ଛାଡ଼ପତ୍ର ପ୍ରକ୍ରିୟା ଉପରେ କଥା ହୋଇ ଲିସି କହିଥିଲେ ଯେ, ଏହା ଏକ ଭାବପ୍ରବଣ ସ୍ତରରେ ଆହ୍ୱାନପୂର୍ଣ୍ଣ ପ୍ରକ୍ରିୟା ଥିଲା ଏବଂ ଶେଷରେ ଛାଡ଼ପତ୍ର ମିଳିବା ପରେ ସେ ଆଶ୍ୱସ୍ତି ଅନୁଭବ କରିଥିଲେ। ପରେ ପ୍ରିୟଦର୍ଶନ ମଧ୍ୟ ନିଜ ଭୁଲ୍ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଅହଂକାର ଏବଂ ରୁଢ଼ିବାଦୀ ପାଳନ ପୋଷଣ ଯୋଗୁଁ ସେ ନିଜ ପତ୍ନୀଙ୍କଠାରୁ ଅବାସ୍ତବ ଜିନିଷ ଆଶା କରୁଥିଲେ।