ମୁମ୍ବାଇ: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ଘଟଣାରେ ସୋମବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ଏତଲା ରୁଜୁ କରିଛି । ଦିଶାଙ୍କ ବାପା ସତୀଶ ସାଲିଆନ୍ ନିଜ ଝିଅର ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରିବାକୁ ଦାବି ଆବେଦନ କରିଥିଲେ ।
ଏହାର ଦୁଇ ଦିନ ପୂର୍ବରୁ ସିବିଆଇ ସତୀଶ ସାଲିଆନ୍ ବୟାନ ରେକର୍ଡ କରିଥିଲା । ନିଜ ବୟାନରେ ସତୀଶ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଆଦିତ୍ୟଙ୍କ ସମେତ ଅନେକ ବ୍ୟକ୍ତି ଏକ କଥିତ ଷଡ଼ଯନ୍ତ୍ର ଏବଂ ପରବର୍ତ୍ତୀ ସମୟରେ ଏହି ଘଟଣାକୁ ଚପାଇ ଦେବାର ପ୍ରୟାସରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି । କଥିତ ଅପରାଧଗୁଡ଼ିକ ସମ୍ବନ୍ଧରେ ବିଭିନ୍ନ ବ୍ୟକ୍ତିଙ୍କ ଭୂମିକାର ତଦନ୍ତ କରାଯିବା ଉଚିତ । ଅପରାଧିକ ଷଡ଼ଯନ୍ତ୍ର, ଆତ୍ମହତ୍ୟାର ଏକ ମିଥ୍ୟା କାହାଣୀ ତିଆରି କରି ପ୍ରଚାର କରିବା ଏବଂ ପ୍ରମାଣକୁ ଚପାଇ ଦେବା, ନଷ୍ଟ କରିବା କିମ୍ବା ମିଥ୍ୟା ପ୍ରମାଣ ସୃଷ୍ଟି କରିବା ଭଳି ଘଟଣା ଅନ୍ତର୍ଭୁକ୍ତ।
ପୂର୍ବରୁ ସିବିଆଇ ଦିଶାଙ୍କ ମୃତ୍ୟୁ ସହିତ ଜଡିତ ସମସ୍ତ କାଗଜପତ୍ର ଏବଂ ରେକର୍ଡ ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ମାଲୱାନୀ ପୋଲିସକୁ ଚିଠି ଲେଖିଥିଲା।
ପ୍ରକାଶ ଯୋଗ୍ୟ, ଜୁନ୍ ୮, ୨୦୨୦ରେ ଦିଶା ସାଲିଆନଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇର ମଲାଡ୍ ଅଞ୍ଚଳର ଏକ କୋଠାର ୧୪ ମହଲାରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ମୁମ୍ବାଇ ପୋଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମାମଲା ଏବଂ ପରେ ଆତ୍ମହତ୍ୟା ରିପୋର୍ଟ ଦେଇଥିଲା । କିନ୍ତୁ ଦିଶାଙ୍କ ବାପା ଝିଅକୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ । ସେ ତାଙ୍କ ଆବେଦନରେ ଶିବସେନା (UBT) ନେତା ଆଦିତ୍ୟ ଠାକରେଙ୍କ ବିରୁଦ୍ଧରେ ଏତଲା ପଞ୍ଜିକରଣ କରିବାକୁ ଦାବି କରିଥିଲେ।