ନୂଆଦିଲ୍ଲୀ: ବଲିଉଡର ଜଣାଶୁଣାହା ଅଭିନେତା ରାଜପାଲ୍ ଯାଦବଙ୍କୁ ଚେକ୍ ବାଉନ୍ସ ଜଡିତ ସାତୋଟି ମାମଲାରେ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସର୍ବୋଚ୍ଚ ଅଦାଲତ ଅଭିନେତାଙ୍କୁ ଆତ୍ମସମର୍ପଣ କରି ଜେଲ୍ ଯିବାରୁ ଅସ୍ଥାୟୀ କୋହଳ ପ୍ରଦାନ କରିଛନ୍ତି। ତେବେ ଏହି ଆଶ୍ୱସ୍ତି ପଛରେ କୋର୍ଟ ଏକ ସର୍ତ୍ତ ରଖିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜପାଲଙ୍କୁ ବୁଧବାର ସୁଦ୍ଧା କୋର୍ଟର ରେଜିଷ୍ଟ୍ରିରେ ୫ କୋଟି ଟଙ୍କା ଜମା କରାଇବାକୁ ପଡ଼ିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ହେବ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ରାଜପାଲ୍ ଯାଦବଙ୍କ ଆବେଦନକୁ ଗ୍ରହଣ କରି ଏକ ନୋଟିସ ଜାରି କରିଛନ୍ତି। ଅଭିନେତା ଦିଲ୍ଲୀ ହାଇକୋର୍ଟଙ୍କ ୧୦ ଜୁଲାଇ ୨୦୨୫ର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ତାଙ୍କର ସଜ୍ଜାକୁ ବଳବତ୍ତ ରଖାଯାଇଥିଲା।
କ'ଣ ଥିଲା ପୂରା ବିବାଦ ?
ଏହି ସମଗ୍ର ବିବାଦଟି ୨୦୧୦ ମସିହାରୁ ଆରମ୍ଭ ହୋଇଥିଲା। 'ଅତା ପତା ଲାପତା' ନାମକ ଚଳଚ୍ଚିତ୍ର ନିର୍ମାଣ ପାଇଁ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ରାଜପାଲ୍ ଯାଦବ, ତାଙ୍କ ପତ୍ନୀ ଏବଂ ତାଙ୍କର ଫିଲ୍ମ ନିର୍ମାଣ ସଂସ୍ଥାକୁ ପ୍ରାୟ ୫ କୋଟି ଟଙ୍କା ଦିଆଯାଇଥିଲା। ଫିଲ୍ମ ରିଲିଜ୍ ହେବାରେ ବିଳମ୍ବ ହେବାରୁ ଟଙ୍କା ଫେରସ୍ତକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅନେକ ବୁଝାମଣା ହୋଇଥିଲା।
ପରେ କମ୍ପାନିକୁ ଦିଆଯାଇଥିବା ସାତୋଟି ଚେକ୍ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏହାପରେ ମୁରଲୀ ପ୍ରୋଜେକ୍ଟ୍ସ ପକ୍ଷରୁ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟର ଧାରା ୧୩୮ ଅଧୀନରେ ସାତୋଟି ପୃଥକ ଅଭିଯୋଗ ଦାୟର କରାଯାଇଥିଲା। ଟ୍ରାଏଲ୍ କୋର୍ଟ ଏପ୍ରିଲ୍ ୨୦୧୮ରେ ରାଜପାଲ ଯାଦବଙ୍କୁ ସମସ୍ତ ସାତୋଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୨୪ ମସିହାରେ ସେସନ୍ସ କୋର୍ଟ ମଧ୍ୟ ସଜ୍ଜାକୁ କାଏମ ରଖିଥିଲେ। ତାଙ୍କୁ ୩ ମାସର ଜେଲ୍ ଏବଂ ପ୍ରତ୍ୟେକ ମାମଲାରେ ୧ କୋଟି ୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଯାଇଥିଲା।
ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ସଜ୍ଜାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ହାଇକୋର୍ଟ କହିଥିଲେ ଯେ ରାଜପାଲ୍ ଟଙ୍କା ପୈଠ କରିବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ତାହା ପୂରଣ କରିନାହାନ୍ତି।