ନୂଆଦିଲ୍ଲୀ: ପ୍ରସିଦ୍ଧ ପଞ୍ଜାବୀ ତଥା ବଲିଉଡ୍ କଣ୍ଠଶିଳ୍ପୀ ବାଦଶାହଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି । ବାଦଶାହ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ ଇଶା ରିଖୀଙ୍କ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିବାହର ମାତ୍ର ପାଞ୍ଚ ମାସ ମଧ୍ୟରେ ବାଦଶାହ ଓ ଇଶା ମଧ୍ୟରେ ଛାଡ଼ପତ୍ର ହୋଇଛି । ଏ ନେଇ ଉଭୟ ସୋସିଆଲ୍ ମିଡ଼ିଆରେ ଏକ ମିଳିତ ଘୋଷଣା କରିଛନ୍ତି ।
ବାଦଶାହ ଏବଂ ଇଶା ଆପୋସ ବୁଝାମଣା ମଧ୍ୟରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଗତ କିଛି ଦିନ ହେବ ଉଭୟଙ୍କ ସମ୍ପର୍କକୁ ନେଇ ଖବର ସାମ୍ନାକୁ ଆସୁଥିଲା । ଯାହା ଉପରୁ ଉଭୟ ଆଜି ପରଦା ହଟାଇଛନ୍ତି । ଏହା ଉପରେ କୌଣସି ଗୁଜବ ନ କରିବାକୁ ଅନୁରୋଧ କରିଛନ୍ତି ।
ବାଦଶାହଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ବାଦଶାହ ଏବଂ ଇଶା ପରସ୍ପର ସହିତ ୪ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ଉଭୟ ନିଜର ବିବାହକୁ ଗୋପନୀୟ ରଖିଥିଲେ । ଗତ ମାର୍ଚ୍ଚ ମାସରେ ଇଶାଙ୍କ ମାଆ ପୁନମ ରିଖୀ ଇନଷ୍ଟାଗ୍ରାମରେ ଉଭୟଙ୍କ ବିବାହର ଫଟୋ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ଦେଇଥିଲେ । ପରେ ଇଶା ମଧ୍ୟ ଜୁନ ମାସରେ ନିଜେ ତାଙ୍କ ବିବାହକୁ ସ୍ୱୀକାର କରିଥିଲେ ।
୨୦୧୨ ମସିହାରେ ବାଦଶାହ ପ୍ରଥମେ ଗାୟିକା ଜ୍ୟାସ୍ମିନ ମସିହଙ୍କୁ ବିବାହ କରିଥିଲେ । ଜାନୁୟାରୀ, ୨୦୧୭ରେ ଉଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପରେ ୨୦୨୦ରେ ଉଭୟ ଛାଡ଼ପତ୍ର ନେଇଥିଲେ । ତାଙ୍କ ପ୍ରଥମ ପତ୍ନୀ ଜ୍ୟାସ୍ମିନ ଏବେ ନିଜ ଝିଅ ସହିତ ଲଣ୍ଡନରେ ରହୁଛନ୍ତି ।