କଟକ: କଟକ ସହରର ବେହାଲ ରାସ୍ତାକୁ ନେଇ ପୁଣି ଥରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଓଡ଼ିଶା ହାଇକୋର୍ଟ। “ରାସ୍ତା କେବଳ ପିଚୁ ଓ ପଥର ନୁହେଁ, ଏହା ସମ୍ବିଧାନର ଅନୁଚ୍ଛେଦ ୧୯(୧)(d) ଓ ୨୧ ଅନୁଯାୟୀ ନାଗରିକଙ୍କ ଜୀବନରେଖା,” ବୋଲି ମନ୍ତବ୍ୟ କରି ଖଣ୍ଡପୀଠ ପ୍ରଶାସନର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଷ୍ଟିସ୍ କେ.ଆର୍. ମହାପାତ୍ର ଓ ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠ ସୁଓ ମୋଟୋ ମାମଲାର ଶୁଣାଣି ବେଳେ କହିଛନ୍ତି, ୨୦୨୪ରୁ ବାରମ୍ବାର ନିର୍ଦ୍ଦେଶ, ଆଶ୍ୱାସନ ଓ କମ୍ପ୍ଲାଏନ୍ସ ଆଫିଡେଭିଟ୍ ଦାଖଲ ସତ୍ତ୍ୱେ କଟକର ରାସ୍ତାର ବାସ୍ତବ ଚିତ୍ରରେ ଆଖିଦୃଶିଆ ସୁଧାର ଆସିନାହିଁ।
ହାଇକୋର୍ଟଙ୍କ ମତରେ, ସହରରେ ପ୍ରତିବର୍ଷ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି, ରାସ୍ତାରେ ଖାଲ ସୃଷ୍ଟି ହେଉଛି, ମରାମତି ହେଉଛି, ବର୍ଷା ଆସିଲେ ପୁଣି ରାସ୍ତା ଭାଙ୍ଗିଯାଉଛି। ଏହି ଚକ୍ର ନିମ୍ନମାନର କାମ ଓ ଦୁର୍ବଳ ତଦାରଖକୁ ସୂଚାଉଥିବା କୋର୍ଟ କହିଛନ୍ତି।
୨୦୨୪ ସେପ୍ଟେମ୍ବରରେ ୧୫ଟି ୱାର୍ଡର କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଜଳବନ୍ଦୀ, CMC ଓ R&B ମଧ୍ୟରେ ସମନ୍ୱୟ ଅଭାବ ଏବଂ ଅଧୂରା କାମକୁ ନେଇ ମଧ୍ୟ କୋର୍ଟ ଏକାଧିକ ଥର ତାଗିଦ କରିଥିଲେ। ଡିସେମ୍ବର ୨୦୨୪ରେ ୧୦୫ଟି କାମ ମଧ୍ୟରୁ କେବଳ ୬୪ଟି ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା।
ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି, କାଗଜପତ୍ରର ଆଶ୍ୱାସନ ନୁହେଁ, ମିଲେନିୟମ୍ ସିଟି କଟକର ରାସ୍ତାରେ ଦୃଶ୍ୟମାନ ପରିବର୍ତ୍ତନ ହିଁ ପ୍ରକୃତ ଅନୁପାଳନ। ନିମ୍ନମାନର କାମ କରୁଥିବା ଠିକାଦାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଓ ମରାମତି ଖର୍ଚ୍ଚ ଆଦାୟ ବ୍ୟବସ୍ଥା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦, ୨୦୨୬ରେ ହେବ।