ଜଳେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ଦୁର୍ଦ୍ଦଶା କମିବାରେ ନାଁ ଧରୁନାହିଁ । ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ପୁଣି ଥରେ ଜଳ ସ୍ତର ବିପଦ ସଙ୍କେଟ ଟପିଛି । ବୈତରଣୀ, ଜଳକା ଓ ସୁବର୍ଣ୍ଣରେଖା ନଦୀର ଜଳ ସ୍ତର ବୃଦ୍ଧି ପାଇବା ଦ୍ୱାରା ତଳିଆ ଅଞ୍ଚଳ ବାସିନ୍ଦାଙ୍କ ଚିନ୍ତା ବଢ଼ିଯାଇଛି ।
ଆଜି ସକାଳ ସୁଦ୍ଧା ସୁବର୍ଣ୍ଣରେଖା ନଦୀର ଜଳ ସ୍ତର ବିପଦ ସଙ୍କେତ ଟପିଛି । ରାଜଘାଟ ନିକଟରେ ସତର୍କ ସୂଚନା ୯.୪୫ ମିଟର ରହିଥିବାବେଳେ ବନ୍ୟା ଜଳ ୯.୫୦ ମିଟର ଉପରେ ପ୍ରବାହିତ ହେଉଛି । ଝାଡ଼ଖଣ୍ଡର ଗାଲୁଡ଼ିହ ବ୍ୟାରେଜ ୯ଟି ଗେଟ୍ ଖୋଲିବା ପରେ ସୁବର୍ଣ୍ଣରେଖାରେ ପୁଣି ଥରେ ବନ୍ୟା ଆସିଥିବା ଜଳ ସମ୍ପଦ ବିଭାଗ କହିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକର ଅନେକ ଗ୍ରାମ ଜଳମଗ୍ନ ହୋଇଛି ।
ସେହିପରି ଜଳକା ନଦୀ ବିପଦ ସଙ୍କେତ ଛୁଇଁଛି । ବସ୍ତା ବ୍ଲକର ମଥାନୀଠାରେ ବନ୍ୟା ଜଳ ବିପଦ ସଙ୍କେତ ୬.୫୦ ମିଟରକୁ ସ୍ପର୍ଶ କରିଛି । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତ ଦୁଇଦିନ ଧରି ବାଲେଶ୍ଵର ସମେତ ଜଳକା ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ଦୁଧହଂଶା, ବାହାର୍ଦା, ନଟାକଟା, ବ୍ରାହ୍ମଣଦା, ମଥାନି, ବରୁଣଗାଡ଼ିଆ ସମେତ ୧୦ ପଞ୍ଚାୟତର ୫୦ ଗାଁ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି l
ସେପଟେ ବୈତରଣୀ ନଦୀରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଭଦ୍ରକ ଆଖୁଆପଦା ଆନିକଟରେ ବିପଦ ସଂକେତର ସାମାନ୍ୟ ତଳକୁ ବନ୍ୟା ଜଳ ରହିଛି । ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବାବେଳେ ବର୍ତ୍ତମାନ ୧୮.୨୦ ମିଟର ଉପରେ ବନ୍ୟା ଜଳ ଚାଲୁଛି ।