କଟକ: ଦୁଇ ଦିନର ଟାଣଟଣ ଖୋଜାଖୋଜି ପରେ ଶେଷରେ କଟକ ଷ୍ଟେସନ ନିକଟରୁ ଅପହୃତ ୭ ବର୍ଷର ନାବାଳିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ ପୋଲିସ। ପୋଲିସ ଓ ଚାଇଲ୍ଡ ୱେଲଫେୟାର କମିଟି (CWC)ର ମିଳିତ ଅପରେସନରେ ବାଲିକୁଦା ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରାଯାଇଛି। ଘଟଣାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ପ୍ରାଥମିକ ସୂଚନା ଅନୁସାରେ, ଅଟକ ବ୍ୟକ୍ତି ଜଣକ କଟକର ବାଲିକୁଦା ଅଞ୍ଚଳର ବାସିନ୍ଦା।
ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟ ରେଳ ଷ୍ଟେସନ ଅଞ୍ଚଳରୁ ନାବାଳିକା ଅପହରଣ ହୋଇଥିଲେ। ଘଟଣା ପରେ କମିଶନରେଟ ପୋଲିସ, GRP ଓ RPF ମିଳିତ ଭାବେ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନର CCTV ଫୁଟେଜ, ବୈଷୟିକ ତଥ୍ୟ ଓ ଗତିବିଧି ବିଶ୍ଳେଷଣ କରି ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା।
CWC ଅଧ୍ୟକ୍ଷ ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି, ଉଦ୍ଧାର ହୋଇଥିବା ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ପରେ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ପରିବାରକୁ ହସ୍ତାନ୍ତର କରାଯିବ।
ନାବାଳିକା ସୁରକ୍ଷିତ ଭାବେ ଫେରିଥିବା ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅନ୍ୟପଟେ, ଅପହରଣର ପଛରେ ଉଦ୍ଦେଶ୍ୟ କଣ ଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି।