ବ୍ରହ୍ମପୁର: ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆଜି ସେ ୧୦ ମାସ ୧୦ ଦିନ ପରେ ଜେଲରୁ ମୁକୁଳିଛନ୍ତି।
ଜେଲରୁ ବାହାରିବା ମାତ୍ରେ ବିକ୍ରମ ପଣ୍ଡାଙ୍କୁ ସ୍ୱାଗତ କରିବା ପାଇଁ ଜେଲ ଗେଟ୍ ସମ୍ମୁଖରେ ବିଜେଡି ନେତା ଓ ସମର୍ଥକଙ୍କ ଭିଡ଼ ଜମିଥିଲା। ଫୁଲମାଳ, ସ୍ଲୋଗାନ୍ ଓ ଉତ୍ସାହର ମାହୋଲ ମଧ୍ୟରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ୱାଗତ ଅବସରରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଆଜି ବିକ୍ରମ ପଣ୍ଡାଙ୍କ ପକ୍ଷରୁ ଆଇନଜୀବୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଲ୍ ବଣ୍ଡ ଦାଖଲ କରିଥିଲେ। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମୁକ୍ତ କରିଥିଲେ।
ଉଲ୍ଲେଖଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଗିରଫ ପରେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏବେ ହାଇକୋର୍ଟରୁ ଜାମିନ ମିଳିବା ସହ ତାଙ୍କର ଜେଲ ମୁକ୍ତି ପୁଣିଥରେ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।