ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ୧୭ ତମ ଦିବସରେ ଗଣତିମଣତି କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି । ମଙ୍ଗଳବାର ଦିନ୧୧ ଟା ୧୫ ରୁ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ଯା ୭ ଟା ୩୮ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିଥିଲା। ତେବେ ମଙ୍ଗଳବାର ରେକର୍ଡ଼ ସଂଖ୍ୟକ ୮ ଘଣ୍ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଗଣତି ହୋଇଥିଲା। ରତ୍ନ ଭଣ୍ଡାରର ପଞ୍ଚମ ଆଲମିରାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ହୋଇଛି। ଅନେକ ରତ୍ନ ଅଳଙ୍କାରରେ ରତ୍ନ ଖଚିତ ରହିଛି। ଏଣୁ ଗଣତି ମଣତି ସହିତ ଚିହ୍ନଟ କରିବା, ଭିଡିଓ ଗ୍ରାଫି, ଫଟୋଗ୍ରାଫି, ଥ୍ରୀଡି ମ୍ୟାପିଙ୍ଗ ପାଇଁ ଅନେକ ସମୟ ଲାଗୁଛି।
ଗଣତିକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ '‘୧୮୭୮ ମସିହା ତାଲିକା ଅନୁଯାୟୀ ଏଯାବତ୍ ମେଳକ ସଠିକ୍ ହୋଇଛି । ଭିତର ଭଣ୍ଡାରରେ ଥିବା ୩ଟି କାଠ ସିନ୍ଦୁକର ଗଣତି କାର୍ଯ୍ୟ ଏଯାବତ୍ ହୋଇନାହିଁ । ୩ଟି ଯାକ କାଠ ସିନ୍ଦୁକରେ ଅନେକ ଦୁର୍ମୂଲ୍ୟ ଅଳଙ୍କାର ରହିଛି । ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଗଣତି କରାଯିବ । ତେବେ ମହାପ୍ରଭୁଙ୍କ ନୀତି ବହୁଳତା ପାଇଁ ଚଳିତ ମାସ ଆଉ ଗଣତି ମଣତି କାର୍ଯ୍ୟ ସମ୍ଭବ ହେବ ନାହିଁ । ପୁଣି କେବେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ସେ ନେଇ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।
ଦୁଇ ଦିନ ଧରି ଏହି ଗଣତି ମଣତି କାର୍ଯ୍ୟ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କରାଯାଇଥିଲା ।