ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନ୍ସିଠାରେ 'ସମହିତା' ପ୍ରକଳ୍ପ ଅନ୍ତର୍ଗତ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ସଫଳତାର ସହ ସମାପ୍ତ ହୋଇଛି। ଓଡ଼ିଶାରେ ମହିଳା ଓ ଭିନ୍ନକ୍ଷମମାନଙ୍କ ସର୍ବାଙ୍ଗୀନ ଅଧିକାର ଏବଂ ସମାବେଶୀକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ଦୃଢ଼ ସଂକଳ୍ପ ସହ "ଜିଲ୍ଲା ଅନୁଭୂତିରୁ ସାମୂହିକ ପ୍ରାଥମିକତା" ଆଭିମୁଖ୍ୟକୁ ନେଇ ଏହା ଆୟୋଜିତ ହୋଇଥିଲା। ଏହି ମିଳିତ କାର୍ଯ୍ୟ ଯୋଜନା ଓ ସାମୂହିକ ସହଭାଗିତା କର୍ମଶାଳାରେ ୬ଟି ଜିଲ୍ଲା ମହାସଂଘର ପ୍ରତିନିଧି ଏବଂ ଅଗ୍ରଣୀ ନାଗରିକ ସମାଜ ସଂଗଠନଗୁଡ଼ିକ ଏକତ୍ରିତ ହୋଇ ସାଧାରଣ ପ୍ରାଥମିକତାଗୁଡ଼ିକୁ ଚିହ୍ନଟ କରିବା ସହ ଦୀର୍ଘକାଳୀନ ସହଭାଗିତା ନିମନ୍ତେ ଏକ ମିଳିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି।
ଏହି ସମ୍ମିଳନୀରେ ପରିବାର (PARIVAAR), ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ନେଟୱର୍କ (OSDN), ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ (NAWO), ଓମେନ ୱିଥ୍ ଡିସଏବିଲିଟି ଇଣ୍ଡିଆ ନେଟୱର୍କ (WWDIN), ହ୍ୟାଣ୍ଡିକ୍ୟାପ୍ ଇଣ୍ଟରନ୍ୟାସନାଲ, ଆଶ୍ରୟ, ଏକତା, ସାଧନା, ଶାନ୍ତା ମେମୋରିଆଲ ରିହାବିଲିଟେସନ ସେଣ୍ଟର (SMRC), ସ୍କୁଲ ଫର ଅଟିଜିମ୍ (କଟକ) ଏବଂ ଓଡ଼ିଶାର ୬ଟି ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ପୁରୀ ଓ ମୟୂରଭଞ୍ଜର ଜିଲ୍ଲା ମହାସଂଘର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ପ୍ରକଳ୍ପ ପରିଚାଳକ ଶ୍ରୀ ରଞ୍ଜିତ ମହାପାତ୍ର 'ସମାହିତ' ପ୍ରକଳ୍ପ ସମ୍ପର୍କରେ ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କରି ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରକଳ୍ପ ହେଉଛି ୟୁରୋପୀୟ ୟୁନିଅନ (The European Union) ଆର୍ଥିକ ସହାୟତାରେ ଏକତା, ସାଧନା, ଏସ.ଏମ.ଆର.ସି (SMRC) ଏବଂ ହ୍ୟାଣ୍ଡିକ୍ୟାପ୍ ଇଣ୍ଟରନ୍ୟାସନାଲର ଏକ ମିଳିତ ପ୍ରୟାସ। ଏହା ଓଡ଼ିଶାର ୬ଟି ଜିଲ୍ଲା - ପୁରୀ, ଗଞ୍ଜାମ, କୋରାପୁଟ, ଗଜପତି, ମୟୂରଭଞ୍ଜ ଏବଂ ରାୟଗଡ଼ାରେ କାର୍ଯ୍ୟକାରୀ ହେଉଛି। ଏହି ୩୬ ମାସର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ବିକାଶ ପ୍ରକ୍ରିୟାରେ ପ୍ରଭାବଶାଳୀ ଓ ବର୍ଦ୍ଧିତ ସହଭାଗିତା ମାଧ୍ୟମରେ ଲିଙ୍ଗଗତ ଏବଂ ଭିନ୍ନକ୍ଷମ ସମାବେଶୀ ଶାସନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ସଶକ୍ତୀକରଣ କରିବା।
ଏହି କର୍ମଶାଳାର ପ୍ରଥମ ଦିନର ଏକ ପ୍ରମୁଖ ଆକର୍ଷଣ ଥିଲା 'ଜିଲ୍ଲା ମହାସଂଘ ସହଭାଗିତା ଅନୁଭୂତି' (District Federation Engagement Experiences), ଯେଉଁଠାରେ ୬ଟି ଜିଲ୍ଲାର ପ୍ରତିନିଧିମାନେ ସେମାନଙ୍କ ମହାସଂଘର ସହଭାଗିତାର ଅନୁଭୂତି, ଆପଣାଇଥିବା ଆଭିମୁଖ୍ୟ ଓ କାର୍ଯ୍ୟକଳାପ, ହାସଲ ହୋଇଥିବା ସଫଳତା, ସମ୍ମୁଖୀନ ହୋଇଥିବା ଆହ୍ୱାନ ଏବଂ ମିଳିଥିବା ମୁଖ୍ୟ ଶିକ୍ଷା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ଅଧିବେଶନରେ ଜିଲ୍ଲାଗୁଡ଼ିକୁ ସେମାନଙ୍କର ନିଜ ନିଜ ଅନୁଭୁତି ଉପରେ ଆଲୋକପାତ କରିବା ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ସହଭାଗିତା ପ୍ରୟାସକୁ ମଜବୁତ କରିବା ପାଇଁ ବ୍ୟାବହାରିକ ଅନୁଭୂତି ବାଣ୍ଟିବାର ସୁଯୋଗ ଦେଇଥିଲା।
ଏହି ଉପସ୍ଥାପନାଗୁଡ଼ିକ ଜିଲ୍ଲାସ୍ତରୀୟ ମହାସଂଘଗୁଡ଼ିକୁ ସୁଦୃଢ଼ କରିବା ଦିଗରେ ସାମୂହିକ ସହଭାଗିତା, ସମନ୍ୱୟ ଏବଂ ଅନୁଭୂତି ଆଦାନପ୍ରଦାନର ଗୁରୁତ୍ୱକୁ ପ୍ରମାଣିତ କରିଥିଲା। ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଉଭୟ ସଫଳ ପ୍ରୟାସ ଏବଂ ସମ୍ମୁଖୀନ ହୋଇଥିବା ଆହ୍ୱାନଗୁଡ଼ିକ ଉପରେ ଅଂଶଗ୍ରହଣକାରୀମାନେ ମତ ରଖିଥିଲେ। ଏହି ଆଦାନପ୍ରଦାନ ସ୍ଥାନୀୟ ପରିସ୍ଥିତିକୁ ଆଧାର କରି ଅନ୍ୟ ଜିଲ୍ଲାଗୁଡ଼ିକରେ ଆପଣାଯାଇପାରୁଥିବା ଏବଂ କାର୍ଯ୍ୟକାରୀ କରାଯାଇପାରୁଥିବା ପଦ୍ଧତିଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା।
ଜିଲ୍ଲାସ୍ତରୀୟ ଉପସ୍ଥାପନା ପରେ, କର୍ମଶାଳାରେ ଏକ 'ପାରସ୍ପରିକ ଶିକ୍ଷା ଏବଂ ସମୀକ୍ଷା' ଅଧିବେଶନ ଆୟୋଜିତ ହୋଇଥିଲା। ଜିଲ୍ଲାଗୁଡ଼ିକ ପରସ୍ପରଠାରୁ କଣ ଶିଖିପାରିବେ ସେ ନେଇ ପ୍ରତିନିଧିମାନେ ଆଲୋଚନା କରିଥିଲେ ଏବଂ ଅନ୍ୟତ୍ର ପ୍ରୟୋଗ ତଥା ବ୍ୟାପକ କରାଯାଇପାରୁଥିବା ସମ୍ଭାବ୍ୟ ଆଭିମୁଖ୍ୟଗୁଡ଼ିକୁ ଅନୁଧ୍ୟାନ କରିଥିଲେ। ଏହି ଅଧିବେଶନ ଅଂଶଗ୍ରହଣକାରୀମାନଙ୍କୁ କେବଳ ବ୍ୟକ୍ତିଗତ ଜିଲ୍ଲା ଅନୁଭୂତି ମଧ୍ୟରେ ସୀମିତ ନ ରହି ସାରା ରାଜ୍ୟରେ ଅଧିକ ଶକ୍ତିଶାଳୀ ଏବଂ ସ୍ଥାୟୀ ମହାସଂଘ ସହଭାଗିତା ଗଠନ ପାଇଁ ସାଧାରଣ ଶିକ୍ଷା ଓ ବ୍ୟାବହାରିକ ଆଭିମୁଖ୍ୟଗୁଡ଼ିକୁ ଚିହ୍ନଟ କରିବାକୁ ଉତ୍ସାହିତ କରିଥିଲା।
ଏହି କର୍ମଶାଳାରେ WWDIN, PARIVAAR, OSDN ଏବଂ NAWO ର ପ୍ରତିନିଧିମାନଙ୍କ ସହ ଓଡ଼ିଶାର ୬ଟି ଜିଲ୍ଲାରେ ଥିବା ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମୁଦାୟକୁ ପ୍ରଭାବିତ କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଏକତ୍ରିତ କରାଯାଇଥିଲା।
ଶ୍ରୀ ଉମେଶ ପୁରୋହିତ (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, OSDN) ଠିକ୍ ସମୟରେ ଭିନ୍ନକ୍ଷମ ପ୍ରମାଣପତ୍ର, ମାନସିକ ରୋଗର ଔଷଧ, ଆଧାର ବାୟୋମେଟ୍ରିକ ଯାଞ୍ଚ, ଶ୍ରମିକ କାର୍ଡ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରୀ କାର୍ତ୍ତିକ ପାଣ୍ଡବ (ସାଧାରଣ ସମ୍ପାଦକ, PARIVAAR) ଏବଂ ଶ୍ରୀମତୀ ସୁଚେତା ଜେନା (ଅଧ୍ୟକ୍ଷା, ସ୍କୁଲ ଫର ଅଟିଜିମ୍) କହିଥିଲେ ଯେ ଆଧାର ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ନିହାତି ଜରୁରୀ, କାରଣ ଏହା ଶିକ୍ଷାବୃତ୍ତି , ପେନସନ, ରେସନ ସେବା ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ସୁଯୋଗ ପାଇବା ସମେତ ସର୍ବାଙ୍ଗୀନ ସେବାକୁ ପ୍ରଭାବିତ କରୁଛି।
ଜନଗଣନାରେ ଭିନ୍ନକ୍ଷମମାନଙ୍କୁ ସାମିଲ କରିବା ଏବଂ ଅତ୍ୟାବଶ୍ୟକ ଜନସେବାଗୁଡ଼ିକୁ ସେମାନଙ୍କ ଦ୍ୱାରଦେଶରେ ସହଜରେ ପହଞ୍ଚାଇବା ନିଶ୍ଚିତ କରିବା। ଶ୍ରୀମତୀ ଏମ୍. ସନ୍ଧ୍ୟାରାଣୀ ଦୋରା (ପ୍ରୋଗ୍ରାମ କୋଅର୍ଡିନେଟର, NAWO): ସେ ମହିଳା ଏବଂ ଭିନ୍ନକ୍ଷମ ମହିଳାମାନଙ୍କ ପାଇଁ ପାନୀୟ ଜଳ, ପରିମଳ, ଜୀବିକା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ (ଫାଇନାନ୍ସିଆଲ୍ ଇନକ୍ଲୁଜନ), ଦକ୍ଷତା ବିକାଶ ଏବଂ ବଜାର ସଂଯୋଗୀକରଣର ସୁବିଧାକୁ ସୁଧାରିବା ବିଷୟରେ କହିଥିଲେ।
ଶ୍ରୀମତୀ ଗଜଲକ୍ଷ୍ମୀ ରାୟ (WWDIN): ସେ ଲିଙ୍ଗଗତ ହିଂସା, ବାଲ୍ୟ ବିବାହ, ସ୍ୱଳ୍ପ ମଜୁରୀ, ସମ୍ପତ୍ତି ଅଧିକାର, ଗ୍ରାମସଭା ଓ ପଲ୍ଲୀସଭା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ ଏବଂ ସ୍ୱତନ୍ତ୍ର ଶିକ୍ଷକଙ୍କ ସମେତ ପର୍ଯ୍ୟାପ୍ତ ଶିକ୍ଷାଗତ ସହାୟତା ପ୍ରଦାନ ଉପରେ ଜୋର ଦେଇଥିଲେ।
ଶ୍ରୀମତୀ ଦୀପ୍ତି ଦାଶ (ସଦସ୍ୟା, OSDN): ସେ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ ସରକାରୀ ଯୋଜନା ଅନୁଯାୟୀ ସେବା ପ୍ରଦାନର ସୁଧାର ପାଇଁ ସରକାରୀ ବିଭାଗ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କର୍ମଶାଳା ଭାଗିଦାରୀ ଜିଲ୍ଲାସ୍ତରୀୟ ଅନୁଭୂତିଗୁଡ଼ିକୁ ସାମୂହିକ ପ୍ରାଥମିକତା ଏବଂ ସମନ୍ୱିତ ରାଜ୍ୟସ୍ତରୀୟ କାର୍ଯ୍ୟପନ୍ଥାରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଭିନ୍ନକ୍ଷମ ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ବ୍ୟବସ୍ଥାଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ରାଜ୍ୟସ୍ତରୀୟ ମିଳିତ ବ୍ୟବସ୍ଥା ସହିତ ଜିଲ୍ଲା ମହାସଂଘ ଏବଂ ସହଯୋଗୀ ସଂଗଠନଗୁଡ଼ିକ ମଧ୍ୟରେ ଅଧିକ ସୁଦୃଢ଼ ସହଯୋଗର ଆବଶ୍ୟକତାକୁ ଅଂଶଗ୍ରହଣକାରୀମାନେ ପୁନଃ ପ୍ରତିପାଦିତ କରିଥିଲେ। ଏହି ଚିହ୍ନଟ ହୋଇଥିବା ପ୍ରାଥମିକତାଗୁଡ଼ିକ ଏକ 'ମିଳିତ ରାଜ୍ୟସ୍ତରୀୟ ସହଭାଗିତା କାର୍ଯ୍ୟ ଯୋଜନା' (Joint State-Level Engagement Action Plan) ଏବଂ ଏକ ଶକ୍ତିଶାଳୀ ରାଜ୍ୟସ୍ତରୀୟ ମଞ୍ଚ ଗଠନ ପାଇଁ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ, ଯାହା ଓଡ଼ିଶାରେ ସମାବେଶୀ, ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଇବ।